ଓଡ଼ିଶା ଲଳିତ କଳା ଏକାଡେମୀର ଚିତ୍ରକଳା କର୍ମଶାଳାରେ ଶିଳ୍ପୀ କେଶୁଦାସ
ବାଲେଶ୍ୱର : କୋରନା କାଳରେ ଓଡ଼ିଆ ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ଲଳିତ କଳା ଏକାଡେମୀ, ଭୁବନେଶ୍ୱର ଦ୍ବାରା ଆୟୋଜିତ ଅନଲାଇନ ଚିତ୍ର କର୍ମଶାଳାରେ ରେମୁଣା କୋଶମ୍ବ ନଗରର ଶିଳ୍ପୀ କେଶୁଦାସ ମନୋନୀତ ହୋଇଛନ୍ତି । ଏହି କର୍ମଶାଳାକୁ ଓଡ଼ିଶାର ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଦିନ ୧୧ ଟାରେ ଭର୍ଚୁଆଲରେ ଉଦଘାଟନ କରିଥିଲେ । ଏଥିରେ ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ଜୁମ ମିଟିଂକୁ ପରିଚାଳନା କରିଥିବା ବେଳେ ସଂସ୍କୃତି ବିଭାଗର ସଚିବ ବିଷ୍ଣୁପଦ ସେଠୀ, ଏକାଡେମୀର ସଭାପତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ , ଉପସଭାପତି ଶ୍ରୀନିବାସ ପଡିଆରୀ ଯୋଗ ଦେଇ କର୍ମଶାଳା ଆଭିମୁଖ୍ୟ ଓ ସଫଳତା କାମନା କରିଥିଲେ । ଏହି ୫ ଦିନିଆ କର୍ମଶାଳା ୩୦ ଜୁନରୁ ୪ ଜୁଲାଇ ପର୍ଯ୍ୟନ୍ତ ଚିତ୍ରଶିଳ୍ପୀ ନିଜ ବାସ ଭବନରେ ରହି ଚିତ୍ର ଆଙ୍କିବେ । ସବୁଦିନ ସକାଳ ଓ ସନ୍ଧ୍ୟାରେ ଶିଳ୍ପୀ ଚିତ୍ର ଆଙ୍କୁଥିବାର ଫୋଟ ଓ ଭିଡ଼ିଓ ଉଠାଇ ଏକାଡେମୀକୁ ପୈଠ କରିବେ । କର୍ମଶାଳା ପରେ ସଂପୂର୍ଣ୍ଣ ପେଣ୍ଟିଂକୁ ନେଇ ଲଳିତ କଳା ଏକାଡେମୀ, ଭୁବନେଶ୍ୱରରେ ପୈଠ କରିବାକୁ ପଡ଼ିବ । ସାରା ଓଡ଼ିଶାରୁ ୬୦୦ରୁ ଊର୍ଦ୍ଧ୍ଵ ଆବେଦନକାରୀ ଶିଳ୍ପୀ ମଧ୍ୟରୁ ୧୦୦ ଜଣକୁ ମନୋନୀତ କରି କର୍ମଶାଳାରେ ଯୋଗଦେବା ପାଇଁ ସ୍ବୀକୃତି ଦେଇଛନ୍ତି । ସମସ୍ତେ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ବିଷୟବସ୍ତୁ ଆଧାରିତ ପେଣ୍ଟିଂ କରିବେ । ପେଣ୍ଟିଂ ପୈଠ ପରେ ପ୍ରତି ଶିଳ୍ପୀ ୧୧,୦୦୦/ ଟଙ୍କା କରି ଅର୍ଥରାଶି ପାଇବେ । ଏହି ଭର୍ଚୁଆଲ ଉଦଘାଟନୀ ସଭାରେ ୧୧୫ ଜଣ ଅଂଶ ଗ୍ରହଣ କରିଥିବା ବେଳେ ମନୋସ୍ବିନୀ ସାହୁ ଧନ୍ୟବାଦ ଦେଇଥିଲେ ।