ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ଫେରିଲେ ଆଉ ୨୧୩୫ ଭାରତୀୟ
ନୂଆଦିଲ୍ଲୀ : ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରବିବାର ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର ୯୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସାରିଛି । ଅପରେସନ ଗଙ୍ଗା ଅଧୀନରେ ୨୨ ଫେବୃଆରୀ ଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟ ମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୬୬ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୧୩ ହଜାର ୮୫୨ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ସେହିପରି ଏବେ ସୁଦ୍ଧା ଭାରତୀୟ ବାୟୁସେନାର ୧୦ଟି ବିମାନରେ ୨୦୫୬ ଜଣ ଯାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଅପରେସନ ଗଙ୍ଗାର ଅଂଶବିଶେଷ ସ୍ୱରୂପ ବାୟୁସେନାର ବିମାନ ୨୬ ଟନ୍ ରିଲିଫ ସାମଗ୍ରୀ ୟୁକ୍ରେନକୁ ପଠାଇଛି ।
ରବିବାର ମଧ୍ୟ ଆଉ ୫ଟି ଉଡାଣ ହୋଇଛି । ଏଥିରେ ୮୯୦ ଜଣ ଛାତ୍ରଛାତ୍ରୀଙ୍କୁ ଆଣିବାର ଯୋଜନା ରହିଛି । ଭାରତୀୟ ଦୂତାବାସ ରବିବାର ଅପରେସନ ଗଙ୍ଗା ଉଡାଣର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଥିବାର ଘୋଷଣା କରିଛନ୍ତି । ଏଣୁ ଯେଉଁମାନେ ନିଜ ବ୍ୟବସ୍ଥାରେ କେଉଁଠି ଅଟକି ଅଛନ୍ତି ସେମାନେ ହଙ୍ଗେରିୟ ସିଟି ସେଂଟର, ରାକୋଜୀ ୟୁଟି-୯୦ ବୁଦା ପେଷ୍ଟରେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପହଂଚନ୍ତୁ ବୋଲି ଅନୁରୋଧ କରିଛନ୍ତି । ହେଲେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନରେ ଅଟକି ରହିଥିବାର ଜଣାପଡିଛି । ତେବେ ଯୁଦ୍ଧ ପରିସ୍ଥିତି ଭୟାବହ ହୋଇଥିବାରୁ ସେମାନଙ୍କୁ ଏବେ ୟୁକ୍ରେନୀୟ ସହରରୁ ବାହାର କରିବା ସମ୍ଭବ ହେଉ ନାହିଁ । ଏଣୁ ୟୁକ୍ରେନର ଭାରତୀୟ ଦୂତାବାସ ରବିବାର ତତ୍କାଳ ଆଧାରରେ ଅନଲାଇନ ଫର୍ମ ପୂରଣ କରିବାକୁ କହିଛନ୍ତି । ଦୂତାବାସ ତାଙ୍କ ଅଧିକାରୀକ ଟ୍ୱିଟ୍ରେ ଏକ ଗୁଗଲ ଫର୍ମ ପୋଷ୍ଟ କରିଛନ୍ତି । ଯେଉଁଥିରେ ନାମ, ପାସପୋର୍ଟ ନମ୍ବର ଓ ସେ ରହୁଥିବା ବର୍ତମାନର ସ୍ଥାନ ସମ୍ପର୍କରେ ସୂଚନା ମାଗିଛନ୍ତି । ମନ୍ତ୍ରାଳୟଙ୍କ ଅନୁସାରେ ଯୁଦ୍ଧଗ୍ରସ୍ତ ଖାର୍କିଭ ଓ ପେସୋଚୀନରୁ ପ୍ରାୟ ସବୁ ଭାରତୀୟଙ୍କୁ ବାହାର କରି ଅଣା ଯାଇଥିବା କୁହାଯାଇଛି । ତେବେ ସୁମୀରେ କିଛି ଭାରତୀୟ ଏବେବି ଅଟକି ରହିଛନ୍ତି । ଏହି ଭାରତୀୟଙ୍କୁ ସେଠାରୁ କାଢିବା ଲାଗି ଦୂତାବାସ ବ୍ୟବସ୍ଥାରେ ଲାଗିଛନ୍ତି । ତେବେ ଏଠାରୁ ଲୋକଙ୍କୁ କାଢ଼ିବା ଏତେ ସହଜ ନୁହେଁ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି । କାରଣ ଏଠାରେ ଭୀଷଣ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏଠାକୁ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନଥିବା ବେଳେ ପରିବହନର ଆଦୌ ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ଏଣୁ ଭାରତ ୟୁକ୍ରେନରୁ ବାକି ଛାତ୍ରଛାତ୍ରୀଙ୍କୁ କାଢିବା ଲାଗି ସରକାର ଅନ୍ୟ ବିକଳ୍ପର ଏବେ ବିଚାର କରୁଥିବା ସେ କହିଛନ୍ତି ।