ଆଜିଠୁ ସାଧାରଣଜନତାଙ୍କ ପାଇଁ ସବୁ ଧାର୍ମିକ ସ୍ଥଳ ବନ୍ଦ
ଉଦୟପୁର : ଦେଶରେ କରୋନାର ଦ୍ଵିତୀୟ ଲହରୀ ବେକାବୁ ହୋଇଥିବା ବେଳେ ରାଜସ୍ଥାନ ଉଦୟପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଉଦୟପୁର ଜିଲ୍ଲା ଅଧିକାରୀ ଚେତନ ଦେଓରା ସମସ୍ତ ଧାର୍ମିକ ସ୍ଥଳର ଧାର୍ମିକ ଗୁରୁଙ୍କ ସହ ବୈଠକ କରି କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି। କରୋନା ଭୟାବହତାକୁ ଦେଖି ଧାର୍ମିକ ଗୁରୁ ସମସ୍ତ ଧାର୍ମିକ ସ୍ଥଳ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଆଦେଶ ଯାଏଁ ସମସ୍ତ ଧାର୍ମିକ ସ୍ଥଳ ବନ୍ଦ ରହିବ। ତେବେ ମନ୍ଦିରରେ ନିୟମିତ ପୂଜାର୍ଚ୍ଚନା ହେବ। କିନ୍ତୁ ସାଧାରଣ ଜନତାଙ୍କ ଦର୍ଶନ ବନ୍ଦ ରହିବ। କର୍ଫ୍ୟୁ ସମୟରେ ପୂଜାରୀ ଓ ମନ୍ଦିର ପ୍ରବନ୍ଧନର ଯିବାଆସିବା ପାଇଁ ପାସ ଜାରି କରିବାକୁ ବ୍ୟବସ୍ଥା କରିବ।
ଉଦୟପୁରର ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସହରରେ ଯାଞ୍ଚ ହେଉଥିବା ପ୍ରତ୍ୟେକ ତୃତୀୟ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଛି। ସେଥିପାଇଁ କଟକଣା କଡାକଡି କରାଯାଇଛି। ସବୁ ପର୍ବପର୍ବାଣି ଘରେ ପାଳନ କରିବାକୁ ଜିଲ୍ଲା ଅଧିକାରୀ ଲୋକଙ୍କୁ ଅପିଲ କରିଛନ୍ତି। କାମ ନ ଥିଲେ ବାହାରକୁ ନ ଯିବା ପାଇଁ ଏବଂ ସମସ୍ତ କରୋନା ନିୟମ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ଅଧିକାରୀ ଲୋକଙ୍କୁ ଅପିଲ କରିଛନ୍ତି।