ମାନବପ୍ରେମୀ ଆଦିତ୍ୟଙ୍କ ମର୍ଡର ମିଷ୍ଟ୍ରିକୁ ପୁରିଲା ଏକବର୍ଷ
ଭୁବନେଶ୍ୱର : ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମର୍ଡର ମିଷ୍ଟ୍ରିକୁ ପୁରିଲା ଏକବର୍ଷ । ବହୁ ବାଦବିବାଦ ସତ୍ତ୍ୱେ ଏଯାଏଁ ଘଟଣାରେ ପୂର୍ଣ୍ଣଚ୍ଛେଦ ପଡି଼ନଥିଲେ ବି ଅନେକାଂଶରେ ସ୍ପଷ୍ଟତା ଆସିଛି । ପ୍ରଥମେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଚର୍ଚ୍ଚା ହେଉଥିବା ବେଳେ ପରେ ଏହାକୁ କ୍ରାଇମ୍ବ୍ରାଞ୍ଚ ଖଣ୍ଡନ କରିଥିଲା । ଯଦି ଆଦିତ୍ୟ ଆତ୍ମହତ୍ୟା କରିଥାନ୍ତି, ତେବେ ଏହା ପଛର ରହସ୍ୟ ଏଯାଏଁ ଫିଟିପାରିନି ।
ସୂଚନା ଯେ, ଗତବର୍ଷ ଜୁଲାଇ ୭ ତାରିଖ ରାତିରେ ଶ୍ରୀଲିଙ୍ଗରାଜ ରେଳ ଷ୍ଟେସନର କେଇ ମିଟର ଦୂରରେ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ରେଳଧାରଣାରୁ ମିଳିଥିଲା । ଭୁବନେଶ୍ୱର ଜିଆର୍ପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ଏହା ଆଦିତ୍ୟଙ୍କ ସମର୍ଥକମାନଙ୍କୁ ହଜମ ହୋଇନଥିଲା । ସୋସିଆଲ୍ ମିଡିଆରେ ଆଦିତ୍ୟଙ୍କୁ ନେଇ ଏକ ଝଡ଼ ଉଠିଥିଲା । ପରେ ଜିଆର୍ପି ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଆଦିତ୍ୟଙ୍କ ପିପୁଲ ଫର୍ ସେବାର ସହକର୍ମୀ ଓ ସ୍ତ୍ରୀ ବିଦ୍ୟାଶ୍ରୀ ପ୍ରଥମେ ସନ୍ଦେହଘେରକୁ ଆସିଥିଲେ । ଯେହେତୁ ଉଭୟ ଗୋଷ୍ଠୀ ଗଣମାଧ୍ୟମ ସାମ୍ନାରେ ପରସ୍ପର ଉପରେ ଦୋଷାରୋପ କରୁଥିଲେ । ପୋଲିସ ସେମାନଙ୍କୁ ଥାନାକୁ ଡାକି ଏକାଧିକ ଥର ଜେରା କରିଥିଲା । ‘ହାର୍ଡ ଆଣ୍ଡ ବ୍ଲଣ୍ଟ ଟ୍ରୋମା’ ହିଁ ଆଦିତ୍ୟଙ୍କ ମୃତ୍ୟୁର ଏକମାତ୍ର କାରଣ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା । କିନ୍ତୁ ସମୟକ୍ରମେ ତଦନ୍ତ ଦିଗହରା ହେବା ଦେଖି ମାମଲାଟି କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଗଲା । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ବିଦ୍ୟାଶ୍ରୀ ଓ ପିପୁଲ ଫର୍ ସେବାର ଅନ୍ୟ ୩ କର୍ମକର୍ତ୍ତାଙ୍କ ‘ଲାଏ ଡିଟେକ୍ସନ ଟେଷ୍ଟ’ ହୋଇଥିଲା । ପରେ ମାମଲାଟିର ନିରପେକ୍ଷ ଯାଞ୍ଚ ପାଇଁ ବିଦ୍ୟାଶ୍ରୀ ଓ ପିପୁଲ ଫର୍ ସେବା ପକ୍ଷରୁ ହାଇକୋର୍ଟରେ ଅପିଲ୍ କରାଯାଇଥିଲା । ଗତ ନଭେମ୍ବର ୨୦ରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଥିଲା । ଯେଉଁଥିରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା ଦର୍ଶାଯାଇଥିଲା । ଯଦି ଆଦିତ୍ୟଙ୍କୁ ହତ୍ୟା କରାଯାଇନଥିଲା, ତେବେ ସେ କାହିଁକି ଆତ୍ମହତ୍ୟା କଲେ, ଏନେଇ ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିନି । ଅନ୍ୟପଟେ ଏବେ ବି ତ୍ରିଲୋଚନ ବିହାରର ବୃଦ୍ଧାଶ୍ରମ ଆଦିତ୍ୟଙ୍କୁ ଝୁରୁଛି । ତାଙ୍କ ବାପା-ମା ପୁଅର ନ୍ୟାୟ ଆଶାରେ ଅନେଇ ବସିଛନ୍ତି ।