ସୁରକ୍ଷାବାହିନୀଙ୍କ ଗୁଳିରେ ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ହନ୍ଦୱାଡାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷାବାହିନୀର ଏନକାଉଣ୍ଟରରେ ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ ନିହତ । କାଶ୍ମୀର ଆଇଜିପି ଏନେଇ ସୂଚନା ଦେଇଛନ୍ତି । ମେହରାଜୁଦ୍ଦୀନ ହଲୱାଇ ବହୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା । ପୋଲିସ, ସେନା ଓ ସିଆରପିଏଫର ତରଫରୁ ମିଳିତ ଭାବେ ଅପରେଶନ କରାଯାଇଥିଲା । ସଂପୃକ୍ତ ଅଞ୍ଚଳରେ ରହୁଥିବା ଜନସାଧାରଣକୁ ସ୍ତାନାନ୍ତର କରାଯାଇଛି । ଏହା ଦ୍ୱାରା କାହାରିକୁ କ୍ଷତି ପହଞ୍ଚିବ ନାହିଁ । କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ମେହରାଜୁଦ୍ଦୀନ ଘାଟିରେ ଆତଙ୍କ ସୃଷ୍ଟି କରିବାରେ ବହୁଦିନରୁ ନିୟୋଜିତ ହୋଇଥିଲା । ତାକୁ ନିହତ କରାଯିବା ପରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି ।
ସୂଚନା ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର କାଶ୍ମୀରର ହନ୍ଦୱାଡାରେ କ୍ରାଲଗୁଣ୍ଡର ପାଜିପୋରା-ରେନାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଅଞ୍ଚଳରେ ହିଜବୁଲର ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାବାହିନୀର ୩୨ ଆରଆର ଏବଂ ସିଆରପିଏଫର ୯୨ ବିଏନ୍ର ଜଏଣ୍ଟ ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାବାହିନୀର ଏହାର ପ୍ରତି ଜବାବ ଦେଇଥିଲା । ସୁରକ୍ଷାବାହିନୀର ଏନକାଉଣ୍ଟରରେ ହିଜବୁଲର ଚିଫ୍ କମାଣ୍ଡର ମେହରାଜୁଦ୍ଦୀନ ହଲୱାଇ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରି ସୁରକ୍ଷାବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି।