କୁଜଙ୍ଗରେ ଅଘଟଣ : ନିଶାସକ୍ତ ଯୁବକର ଆକ୍ରମଣରେ ୨ ମହିଳା ମୃତ, ୩ ଗୁରୁତର
![](https://thetruths.in/wp-content/uploads/2023/06/Kujanag-Incident.jpg)
କୁଜଙ୍ଗ : ଜଗତସିଂହପୁର ଜିଲା କୁଜଙ୍ଗରେ ଅଘଟଣ । ନିଶାସକ୍ତ ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ସମୟରେ ବଳରାମ ପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତିନିର୍ମମ ଭାବେ ହତ୍ୟା କରିଛି। ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ହତ୍ୟାର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣକାରୀ ଯୁବକକୁ ଅଟକ ରଖିଛି କୁଜଙ୍ଗ ପୋଲିସ । ହତ୍ୟାରେ ବ୍ୟବହୃତ କଟୁରି ଜବତ ହୋଇଛି।
ସୂଚନା ଅନୁଯାୟୀ, ରବିବାର ସକାଳେ ପ୍ରାୟ ଏକ୍ସପ୍ରେସ ଓ୍ବେ କଲୋନିରେ ଚିଣ୍ଟୁଆ ନାଥ ନାମକ ଜଣେ ଯୁବକ ସେହି କଲୋନିର ଅନୀତା ରାଉତ ନାମକ ଜଣେ ମହିଳାଙ୍କୁ ଏକ କଟୁରି ଓ ଜିଆଇ ପାଇପରେ ପ୍ରଥମେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନୀତାଙ୍କ ଚିତ୍କାର ଶୁଣି ଘର ବାହାରକୁ ଆସିଥିବା ନିର୍ମଳା ଲେଙ୍କା ନାମ୍ନୀ ମହିଳାଙ୍କୁ ମଧ୍ୟ ସଂପୃକ୍ତ ଯୁବକ ଆକ୍ରମଣ କରିଥିଲା। ଆହତ ନିର୍ମଳାଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିଣ୍ଟୁଆନାଥର ଆକ୍ରମଣରେ ନିର୍ମଳାଙ୍କ ପୁଅ ଓ ଅନ୍ୟ ଦୁଇଜଣ ବି ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀ ଯୁବକ ଚିଣ୍ଟୁଆ ନାଥକୁ ଅଟକ ରଖିଛି। ଆକ୍ରମଣରେ ବ୍ୟବହୃତ କଟୁରିକୁ ବି ଜବତ କରିଛି ପୋଲିସ। ଚିଣ୍ଟୁଆ ନାଥ ବିବାହିତ । ସେ ଗତ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।