ବାଲେଶ୍ୱର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
ଜିଲାକୁ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ୨୯୨କୋଟି ଓ ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ୩୭୫କୋଟି ୩୨ଲକ୍ଷ ଟଙ୍କା ବ୍ୟୟ
ବାଲେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୨୯୨କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଜିଲାର ୩ଟି ବ୍ଲକ ଅଧିନରେ ଥିବା ୪୧ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୦୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୬୨୦୯୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦିଆଯିବ । ତନ୍ମମଧ୍ୟରୁ ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ୧୪ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧୦୧୩୨୧ଜଣ, ରେମୁଣା ବ୍ଲକ ଅଧିନରେ ଥିବା ୨୦ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୬୦ଟି ଗ୍ରାମର ପ୍ରାୟ ୧୨୧୨୧୦ଜଣ, ଖଇରା ବ୍ଲକ ଅଧିନରେ ଥିବା ୭ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬୦ଟି ଗ୍ରାମର ପ୍ରାୟ ୩୯୫୬୨ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ । ସମସ୍ତ ପ୍ରକଳ୍ପ ଗୁଡ଼ିକୁ ୨୪ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ବାତ୍ୟା ପ୍ରବଣ ଜିଲା ପାଇଁ ‘ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ\’କୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ୩୭୫କୋଟି ୩୨ଲକ୍ଷ ଟଙ୍କା ବ୍ୟୟରେ ଜିଲାର ମୋଟ ୮୫.୩୦ କିମି ଦୀର୍ଘ ୨୦ଟି ଲୁଣା ବନ୍ଧର ସୁଦୃଢ଼ୀକରଣ କାର୍ଯ୍ୟ କରାଯିବ । ଉକ୍ତ ଲୁଣା ବନ୍ଧ ଗୁଡ଼ିକୁ ବାତ୍ୟା ପ୍ରତିରୋଧକ ସ୍ତରକୁ ଅଣାଯାଇ ଘଣ୍ଟାପ୍ରତି ୨୫୦କିମି ବେଗରେ ବହୁଥିବା ବାତ୍ୟା, ଉଚ୍ଚଜୁଆର, ଲୁଣାପାଣି ମାଡ଼ିଯିବା ତଥା ବାତ୍ୟା ଦାଉରୁ ନିକଟସ୍ଥ ସ୍ଥଳଭାଗ ଓ ଜନବସତିକୁ ସୁରକ୍ଷା ପ୍ରଦାନ କରାଯିବ । ଏହି ଲୁଣାବନ୍ଧ ଦ୍ୱାରା ବାଲେଶ୍ୱର ଜିଲାର ସଦର, ଭୋଗରାଇ ଓ ରେମୁଣା ବ୍ଲକର ୧୧,୬୦୦ହେକ୍ଟର ଚାଷ ଜମିକୁ ବନ୍ୟା ଓ ଲୁଣା ପାଣି ମାଡ଼ିଯିବାରୁ ରକ୍ଷା କରାଯିବା ସହିତ ୪୩ଟି ଗ୍ରାମର ୨ଲକ୍ଷରୁ ଅଧିକ ପରିବାରଙ୍କ ଧନଜୀବନ ସୁରକ୍ଷିତ ରହିପାରିବ ।
ଜିଲାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଏହି ଅବଦାନ ପାଇଁ ବାଲେଶ୍ୱର ଜିଲା ବିଜୁ ଜନତା ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ କରାଯାଇ ବାଲେଶ୍ୱରବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷା ସବିତା ସାହୁ, ଜିଲା ଯୁବ ବିଜେଡ଼ି ସଭାପତି ତାପସ କୁମାର ପରିଡ଼ା, ଜିଲା ଛାତ୍ର ବିଜେଡ଼ି ସଭାପତି ସିମନ ଦାସମହାପାତ୍ର, ଜିଲା ବିଜେଡ଼ି ଉପ-ସଭାପତି ଗୌରୀ କୁମାର ରାଉତ ଓ ଭୁବନାନନ୍ଦ ଦାସ, ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଜିଲା ବିଜୁ କୃଷକ ଜନତା ଦଳ ସଭାପତି ଅଜୟ ସାମଲ, ଜିଲା ଅନୁସୂଚିତ ଜାତି ସେଲ ସଭାପତି ଶତ୍ରୁଘ୍ନ ମଲ୍ଲିକ ଏବଂ ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।