ଫକୀରମୋହନ ଥିଲେ ଅନତିକ୍ରମଣୀୟ ଇତିହାସ ସଚେତନ ସାହିତ୍ୟଶିଳ୍ପୀ
ସାହିତ୍ୟ ଅକାଦେମି ଓ ଫକୀରମୋହନ ସାହିତ୍ୟ ପରିଷଦର ମିଳିତ କର୍ମଶାଳା
ବାଲେଶ୍ୱର ଅଫିସ : ଫକୀରମୋହନଙ୍କ ମାଟିରେ ତାଙ୍କ ସମ୍ପର୍କରେ ଆଲୋଚନା କରିବା ହିଁ ଗୋଟିଏ ଆହ୍ୱାନ । ଅତୀତର ପ୍ରେକ୍ଷାପଟରେ ହିଁ ଭବିଷ୍ୟତକୁ ନିର୍ମାଣ କରାଯାଏ । ଫକୀରମୋହନଙ୍କ ସାହିତ୍ୟ ଆଜିର ପିଢ଼ି ପକ୍ଷରେ ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ଓ ଫକୀରମୋହନ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଫକୀରମୋହନଙ୍କ ସାହିତ୍ୟରେ ସମକାଳୀନ ଇତିହାସ’ ଶୀର୍ଷକ କର୍ମଶାଳାରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଲେ ଯେ ଓଡ଼ିଆ ଭାଷାର ଅସ୍ତିତ୍ୱ ପାଇଁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ । ତାଙ୍କ ସାହିତ୍ୟକୁ ଯେତେଥର ପାଠ କରିଲେ ମଧ୍ୟ ସେତେ ନୂଆ ନୂଆ ଅନୁଭୂତ ହୁଏ । କେନ୍ଦ୍ର ସାହିତ୍ୟ ଅକାଦେମି, କୋଲକାତାର ପୂର୍ବାଞ୍ଚଳ ସଚିବ ଡ. ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ପଞ୍ଜିକୃତ ସାହିତ୍ୟାନୁଷ୍ଠାନ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ସହାୟତାରେ କେନ୍ଦ୍ର ସାହିତ୍ୟ ଅକାଦେମି ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଖ୍ୟାତ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଫକୀରମୋହନଙ୍କ ସାହିତ୍ୟରେ ସମକାଳୀନ ଇତିହାସ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଫକୀରମୋହନ ଆର୍ଥିକ, ସାମାଜିକ ତଥା ମାନସିକ ଭାବରେ ଉତ୍ପୀଡ଼ନର ଶିକାର ହେବା ସତ୍ତ୍ୱେ ନିଜେ ନିଜର ପରିଚୟ ସୃଷ୍ଟି କରିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଏବଂ ବାସ୍ତବରେ ସେ ଜଣେ ଅନତିକ୍ରମଣୀୟ ବ୍ୟକ୍ତିତ୍ୱର ପରିଚୟ ବହନ କରନ୍ତି । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ୱାନ କରିଥିଲେ । ସମ୍ପାଦକ ଦୀପକ ବୋଷ ପ୍ରାକ୍କଥା ରଖିଥିବାବେଳେ ସାହିତ୍ୟ ଅକାଦେମିର ଓଡ଼ିଶା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କବି ବିମଳ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ମଧ୍ୟାହ୍ନ ଅଧିବେଶନ ଡ. ବସନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ଅରବିନ୍ଦ ଗିରି, ପ୍ରଫେସର ଦୀପ୍ତିରଞ୍ଜନ ପଟ୍ଟନାୟକ, ଡ. ଚନ୍ଦ୍ରଶେଖର ଦାସ ସ୍ୱଲିଖିତ ପ୍ରବନ୍ଧ ପାଠ କରିଥିଲେ । ପରିଷଦର ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଡ. ମଥୁରାନାଥ ହୋତାଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ଅଧିବେଶନରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ଡ. ମନ୍ମଥ କୁମାର ପ୍ରଧାନ ସ୍ୱଲିଖିତ ପ୍ରବନ୍ଧ ପାଠ କରିଥିଲେ ଓ ପରିଷଦର ଅନ୍ୟତମ ଉପସଭାପତି ଦୀନବନ୍ଧୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିଷଦ ପକ୍ଷରୁ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବରିଷ୍ଠ ପ୍ରତିଭା ତାରାମଣି ମହାପାତ୍ର, ଚିତ୍ତରଞ୍ଜନ ସାହୁ, ଜଳଧର ପଣ୍ଡା, ତ୍ରିଦିବ କୁମାର ନାୟକ, ବିଦ୍ୟାଧର ରଥ, ଶିଶିର କୁମାର ମହପାତ୍ର, କମଳଲୋଚନ ଦାଶ, ଶିବପ୍ରସାଦ ଦାଶ, ତରୁଣ କୁମାର ଚାଟ୍ଟାର୍ଜୀ, ସଦାନନ୍ଦ ଦାସ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ସନ୍ଧ୍ୟାରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଖ୍ୟାତି ସମ୍ପନ୍ନ ଓଡ଼ିଆ କବି ମନୋରମା ବିଶ୍ୱାଳ ମହାପାତ୍ର ସ୍ୱସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତାମାନଙ୍କର ବିବିଧ ପ୍ରଶ୍ନର ଉତ୍ତର ରଖିଥିଲେ । ଏଥିରେ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ ।