ସ୍ଥାନୀୟ କଣ୍ଟେନମେଣ୍ଟ ରଣନୀତି ବର୍ତମାନ ସମୟର ଆବଶ୍ୟକତା : ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକ
- ସାପ୍ତାହିକ କୋଭିଡ ପରୀକ୍ଷା ହାର ମାର୍ଚ୍ଚ ପ୍ରାରମ୍ଭରେ ୫୦ ଲକ୍ଷରୁ ବୃଦ୍ଧି ପାଇ ବର୍ତମାନ ୧.୩ କୋଟିରେ ପହଂଚିଲା
ନୂଆଦିଲ୍ଲୀ : ଦେଶରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ପରିସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ କୋଭିଡ ସଂକ୍ରାନ୍ତ ବର୍ତମାନର ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ମାର୍ଚ୍ଚ ପ୍ରାରମ୍ଭରେ ନମୁନା ପରୀକ୍ଷା ସଂଖ୍ୟା ସାପ୍ତାହିକ ୫୦ ଲକ୍ଷ ଥିବା ବେଳେ ଏହା ବର୍ତମାନ ୧.୩ କୋଟିକୁ ବୃଦ୍ଧି ପାଇଛି । ଟେଷ୍ଟ ପଜିଟିଭିଟି ହାର ଧୀରେ ଧୀରେ କମୁଥିବା ଏବଂ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ୁଥିବା ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ପୂର୍ବରୁ ଦୈନିକ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସର ଫଳ ସ୍ୱରୂପ ଏହି ସଂଖ୍ୟା ବର୍ତମାନ ହ୍ରାସ ପାଇଛି । ଅଧିକାରୀମାନେ ରାଜ୍ୟ ଓ ଜିଲ୍ଲାସ୍ତରରେ କୋଭିଡ, ଟେଷ୍ଟିଂ, ଅକ୍ସିଜେନ ଉପଲବ୍ଧତା, ସ୍ୱାସ୍ଥ୍ୟସେବା ଭିତିଭୂମି ଟିକାକରଣ ପ୍ରସ୍ତୁତି ଉପରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଲ୍ଲା ସ୍ତରରେ ପଜିଟିଭିଟି ହାର ଅଧିକ ରହୁଥିବା ରାଜ୍ୟଗୁଡ଼ିକ ପାଇଁ ସ୍ଥାନୀୟ କେଂଟନମେଂଟ ରଣନୀତି ଲାଗୁ କରିବା ବର୍ତମାନ ସମୟର ଆବଶ୍ୟକତା । ଟେଷ୍ଟିଂ ଆହୁରି ବଢ଼ାଇବାର ଆବଶ୍ୟକତା ରହିଥିବା ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଜିଟିଭିଟି ହାର ଥିବା ଅଂଚଳରେ ଉଭୟ ଆରଟି-ପିସିଆର ଓ ରାପିଡ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟଗୁଡ଼ିକ ବିନା ଚାପରେ ଚିହ୍ନଟ ହେଉଥିବା ଅଧିକ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟାକୁ ପ୍ରଦର୍ଶିତ କରିବା ଆବଶ୍ୟକ । ଏହା ସେମାନଙ୍କ ପ୍ରୟାସ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ଗ୍ରାମାଂଚଳରେ ଡୋର ଟୁ ଡୋର ଟେଷ୍ଟିଂ ଓ ନିରୀକ୍ଷଣ ପାଇଁ ସ୍ୱାସ୍ଥ୍ୟସେବା ଭିତିଭୂମି ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ ମଧ୍ୟ ସମସ୍ତ ଉପକରଣ ସହିତ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସଶକ୍ତ କରିବା ସମ୍ପର୍କରେ ମତ ଦେଇଥିଲେ । ଗ୍ରାମାଂଚଳରେ ଗୃହ ସଙ୍ଗରୋଧ ଏବଂ ଚିକିତ୍ସା ପାଇଁ ଚିତ୍ରଣ ସହିତ ସହଜ ଭାଷାରେ ମାର୍ଗଦର୍ଶିକା ଉପଲବ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଅକ୍ସିଜେନ କନସେେଂଟ୍ରଟର ବ୍ୟବସ୍ଥା ସମେତ, ଗ୍ରାମାଂଚଳରେ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବା ଲାଗି ଏକ ବିତରଣ ଯୋଜନା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଏପରି ଉପକରଣ ପରିଚାଳନା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ ଏବଂ ମେଡ଼ିକାଲ ଉପକରଣର ସୁଗମ ପରିଚାଳନା ନିମନ୍ତେ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଉଚିତ୍ । କେତେକ ରାଜ୍ୟରେ ଭେଂଟିଲେଟର ଉପଯୋଗ ହୋଇନପାରି ଷ୍ଟୋରେଜ ରୁମରେ ପଡ଼ି ରହୁଥିବା ସମ୍ପର୍କରେ ଆସିଥିବା ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଭେଂଟିଲେଟର ସଂଯୋଗ ଓ ପରିଚାଳନା ନିମନ୍ତେ ଏକ ଅଡିଟ କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦରକାର ହେଲେ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ସଠିକ ଭାବେ ଭେଂଟିଲେଟର ଉପଯୋଗ କରିବା ନିମନ୍ତେ ରିଫ୍ରେସର ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଭାରତର ଲଢ଼େଇ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଓ ବିଷୟ ବିଶେଷଜ୍ଞମାନଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇଆସିଛି ଏବଂ ଏହା ଆଗକୁ ମଧ୍ୟ ସେମାନଙ୍କ ମାର୍ଗଦର୍ଶନରେ ଜାରି ରହିବ । ଅଧିକାରୀମାନେ ଟିକାକରଣ ଅଗ୍ରଗତି ଏବଂ ରାଜ୍ୟୱାରୀ ୪୫+ ଜନସଂଖ୍ୟାଙ୍କୁ ଏଥିରେ କଭରେଜ କରିବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଭବିଷ୍ୟତରେ ଟିକା ଉପଲବ୍ଧତା ପାଇଁ ରୋଡମ୍ୟାପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଟିକାକରଣର ଗତି ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ସହିତ ଅଧିକ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।