ବିଦ୍ୟାଳୟ ରୂପାନ୍ତରଣ ଯୋଜନାର ପ୍ରତିଫଳନ କଟକର ନବମ ଶ୍ରେଣୀ ଛାତ୍ରୀଙ୍କୁ ଉତ୍ସାହିତ କଲେ ୫-ଟି ସଚିବ

କଟକ : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୫-ଟି ସଚିବ ଭି କେ ପାଣ୍ଡିୟାନ ଉତ୍ସାହିତ କରିଥିବା ଘଟଣା ଚର୍ଚ୍ଚାକୁ ଆସିଛି । କଟକ ମହାନଗର ନିଗମ(ସିଏମସି) କମିଶନର ନିଖିଲ ପୱନ କଲ୍ୟାଣ ଆଜି ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ୫-ଟି ସଚିବ ଶ୍ରୀ ପାଣ୍ଡିୟାନଙ୍କ ଦ୍ୱାରା ପ୍ରେରିତ ଏକ ଫେସନ୍ ଡିଜାଇନ୍ ସଂପର୍କିତ ପୁସ୍ତକ ବାଦାମବାଡି ନିଉ କଲୋନି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶ୍ରୁତିକା ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି । ରୂପାନ୍ତରଣ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଉକ୍ତ ସ୍କୁଲର ଛାତ୍ରୀଜଣକ ଜଣେ ଫେସନ୍ ଡିଜାଇନର ହେବାକୁ ସ୍ୱପ୍ନ ଦେଖିଥିବା ସଂପର୍କରେ ସଚିବଙ୍କୁ ଏକ କାର୍ଯ୍ୟକ୍ରମରେ ଜଣାଇଥିଲେ । ଗତ ନଭେମ୍ବର ୧୮ରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଗ୍ରଗତି ସଂକ୍ରାନ୍ତ ସମୀକ୍ଷାର ଭିଡିଓ କନଫରେନ୍ସସିଂରେ ଛାତ୍ରୀ ଜଣକ ଯେପରି ଢଙ୍ଗରେ ତା’ର ଭବିଷ୍ୟତର ସ୍ୱପ୍ନକୁ ନେଇ ବଖାଣିଥିଲା ତାହା ବିଶେଷ ଭାବେ ସଚିବଙ୍କୁ ଭାବବିହ୍ୱଳିତ କରିଥିଲା । ସଚିବ ଶ୍ରୀ ପାଣ୍ଡିୟାନଙ୍କ ପ୍ରଶ୍ନର ଉତ୍ତର ଦେଇ ଝିଅଟି କହିଥିଲା ‘ମୁଁ ଜଣେ ଫେସନ୍ ଡିଜାଇନର ହେବାକୁ ଚାହୁଁଛି’ । ମୁଁ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହେବି ଏକ ପାରମ୍ପରିକ କଥା ନ କହି ଝିଅଟିର ଏପରି ଭିନ୍ନ ଶୈଳୀର ଉତ୍ତର ଶ୍ରୀ ପାଣ୍ଡିୟାନଙ୍କୁ ପ୍ରଭାବିତ କରିଥିଲା । ଏଥିପାଇଁ ସେ ଛାତ୍ରୀ ଜଣକୁ ଉତ୍ସାହିତ କରିବା ସକାଶେ ପୁସ୍ତକଟିକୁ ପ୍ରଦାନ କରିଥିଲେ । ଏହି ପୁସ୍ତକ ଗ୍ରହଣ କରି ଛାତ୍ରୀ ଜଣକ କହିଛନ୍ତି, ଏହି ଘଟଣା ତାଙ୍କ ଜୀବନ ପାଇଁ ଅବିସ୍ମରଣୀୟ ହୋଇ ରହିବ । ପ୍ରକାଶ ଥାଉକି, କଟକ ସହରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୨୨ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯାଇଥିଲା । ପରେ ତୃତୀୟ ପର୍ଯ୍ୟାୟରେ ଆହୁରି ୨୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ପର୍ଯ୍ୟାୟର କାର୍ଯ୍ୟ ଶେଷ ପରେ ମୋଟ ୪୨ଟି ସ୍କୁଲ ସହରରେ ସ୍ମାର୍ଟ ସ୍କୁଲ ଭାବେ ପରିଗଣିତ ହେବ । ଯାହାଫଳରେ ଏଣିକି ସହରର ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।