କଟକରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ ଇଂରାଜୀ ମିଡିୟମକୁ ଟକ୍କର ଦେଇ ଚମକିବ ୪୨ଟି ସରକାରୀ ସ୍କୁଲ
କଟକ : ଆଜି ପୂର୍ବାହ୍ନରେ ୫-ଟି ସଚିବ ଭି କେ ପାଣ୍ଡିୟାନ ଭିଡିଓ କନଫରେନ୍ସିଂ ଜରିଆରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୨୦ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟର ଅଗ୍ରଗତି ସଂପର୍କରେ ସେ ଅନୁଧ୍ୟାନ କରିବା ସହ ସୁବିଧା ଅସୁବିଧା ବିଷୟରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ସ୍ଥାନୀୟ କର୍ପୋରେଟର, ପରିଚାଳନା କମିଟି ସଦସ୍ୟ ଓ ପୁରୁଣା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଛୋଟ ଛୋଟ ସମସ୍ୟାଗୁଡିକୁ ତୁରନ୍ତ ସମାଧାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସଚିବ ଶ୍ରୀ ପାଣ୍ଡିୟାନ ୫ଟି ବିଦ୍ୟାଳୟର ୫ ଜଣ କୁନି ପିଲାଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇ ସେମାନଙ୍କ ଭବିଷ୍ୟତ ଯୋଜନା ସଂପର୍କରେ ପଚାରି ବୁଝିଥିଲେ । ସ୍ଥାନୀୟ ସଦର ବ୍ଲକ କାର୍ଯ୍ୟାଳୟରେ ସଂପୃକ୍ତ ୧୩ଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ରହି ଏହି ଭିଡିଓ କନଫରେନ୍ସିଂ ଆଲୋଚନାରେ ଭାଗ ନେଇଥିବା ବେଳେ ବିଜୁ ଭବନରେ ୭ଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ପୋରେଟର କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ଡେପୁଟି କମିଶନର ସଂଜୀବିତା ରାୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପ୍ରକାଶ ଥାଉକି, ଅକ୍ଟୋବର ମାସରେ କଟକ ସହରରେ ୫-ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣର ଯୋଜନାରେ ୨୦ଟି ସ୍କୁଲର ରୂପରେଖ ପରିବର୍ତ୍ତନ କାର୍ଯ୍ୟ ହାତକୁ ନିଆଯାଇଥିଲା । ଛାତ୍ରଛାତ୍ରୀମାନେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ କମ୍ପ୍ୟୁଟର ସହାୟତାରେ ଜ୍ଞାନ ଆହରଣ କରିବେ ଏବଂ ନୂତନ ତଥ୍ୟକୁ ସଂଗ୍ରହ ଓ ସଂଯୁକ୍ତ କରିବା ସହ ପାରସ୍ପରିକ ଅଭିଜ୍ଞତା ବିନିମୟ କରିବାର ସୁଯୋଗ ପାଇବେ । ସ୍କୁଲଗୁଡିକରେ ସ୍ମାର୍ଟ କ୍ଲାସ୍ରୁମ୍ ବ୍ୟତୀତ ଆଇସିଟି ଲ୍ୟାବ୍, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ବିଦ୍ୟାଳୟ ପରିବେଶ ସହ କ୍ରୀଡା, ଜଳ ଓ ପରିମଳ ସୁବିଧା ଆଦି ଉପଲବ୍ଧ ହେବ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ସହରର ମୋଟ ୨୨ଟି ସ୍କୁଲର ରୂପାନ୍ତରଣ କରାଯାଇଥିଲା । ପରେ ତୃତୀୟ ପର୍ଯ୍ୟାୟରେ ଆହୁରି ୨୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ପର୍ଯ୍ୟାୟର କାର୍ଯ୍ୟ ଶେଷ ପରେ ମୋଟ ୪୨ଟି ସ୍କୁଲ ସହରରେ ଚମକିବ ବୋଲି ଡେପୁଟି କମିଶନର ସଂଜୀବିତା ରାୟ କହିଛନ୍ତି । ଏଣିକି ସହରର ପିଲାମାନଙ୍କୁ ଇଂରାଜୀ ମିଡିୟମ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ୫-ଟି ସ୍କୁଲ ରୂପାନ୍ତରଣ ଯୋଜନାରେ ସହରର ସ୍କୁଲଗୁଡିକ ନୂତନ ରୂପରେଖ ପାଇବା ପରେ ପିଲାମାନେ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କ ଭଳି ସ୍ୱପ୍ନ ଦେଖିବାର ସୁଯୋଗ ପାଇପାରିଛନ୍ତି । ସରକାରଙ୍କ ଏହି ପ୍ରୟାସ କାର୍ଯ୍ୟକାରୀ କରିବାକୁ ପ୍ରଶାସନ କଦାପି ପଛାଇବ ନାହିଁ ବୋଲି କମିଶନର ଶ୍ରୀ କଲ୍ୟାଣ ଗଣମାଧ୍ୟମକୁ କହିଛନ୍ତି ।