ବାଲେଶ୍ୱର ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସମାପନି ସମାରୋହ
ବାଲେଶ୍ୱର : ବାଲେଶ୍ୱର ଠାରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨ ପାଳନ ଅବସରରେ ଶନିବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସମାପନି ସମାରୋହ ଆୟୋଜିତ ହୋଇଥିଲା । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବାଞ୍ଚଳ ରେଞ୍ଜର ପୋଲିସ ଆଇଜି ହିମାଂଶୁ ଲାଲ୍ ଯୋଗଦେଇ ଦୁର୍ନୀତି ନିବାରଣରେ ୫ଟି ଓ ମୋ ସରକାରର ଯଥେଷ୍ଟ ଭୂମିକା ରହିଛି । ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କୁ ଏହାର ସୁବିଧା ନେବା ପାଇଁ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ଦୁର୍ନୀତି ନିବାରଣ ବିଭାଗ ଏସ୍ପି ନରହରି ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସଭା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଓ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ଓ ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ଯୋଗଦେଇ ଦୁର୍ନୀତି ନିବାରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ଉପରେ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅଂଶୁମାନ ପ୍ରଧାନ, ସତ୍ୟମ୍ ଦାସ, ସୁଶ୍ରୀ ଏନ୍. ଉପାସନା ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ବାର୍ ଆସୋସିଏସନ୍ ସଭାପତି ମନୋଜ କୁମାର ନାୟକ, ସିଭିଲ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଅବସରପ୍ରାପ୍ତ କର୍ମଚାରୀ ଫୋରମ୍ର ସମ୍ପାଦକ ବନମାଳୀ ନାୟକ ନିଜର ଭାଷଣ ମାଧ୍ୟମରେ ଅଧୁନା ସମାଜରେ ହେଉଥିବା ଦୁର୍ନୀତିର ଚିତ୍ର ଦେଖାଇଥିଲେ । ପୂର୍ବରୁ ଆୟୋଜିତ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାର କୃତୀ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସୂଚନା ଯେ, ଗତ ୩୧ ଅକ୍ଟୋବରରୁ ଚଳିତ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଂଶ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଯଥା ୱାକାଥନ, ମାରାଥନ ଆଦି ଆୟୋଜିତ ହୋଇଥିଲା । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସହରର ଗହଳି ସ୍ଥାନ ମାନଙ୍କରେ ପଥ ପ୍ରାନ୍ତ ପାଲା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ସଭାରେ ମିଶନ ଶକ୍ତି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଅଧିକାରୀ, କର୍ମଚାରୀ, ସାଧାରଣ ଜନତା, ଛାତ୍ରୀଛାତ୍ର, ଗଣମାଧ୍ୟମର ପ୍ରତିନିଧି ତଥା ଅନ୍ୟମାନେ ଯୋଗ ଦେଇଥିଲେ ।