ସଫେଇ କର୍ମୀ ଓ ଡ୍ରାଇଭର ଲୋଡରମାନଙ୍କ ପକ୍ଷରୁ କମିଶନରଙ୍କୁ ସ୍ମାରକପତ୍ର
କଟକ : ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀ ଭାବେ ଚୟନ ହୋଇ ଡ୍ରାଇଭର, ଲୋଡର ଓ ସଫେଇ କର୍ମୀମାନେ ଦୀର୍ଘ ସମୟ ଧରି ମହାନଗର ନିଗମ ଅଧିନରେ ବିଭିନ୍ନ ୱାର୍ଡରେ କାମ କରି ଆସୁଛନ୍ତି । ଗାଡି ଚାଳକ, ଗାଡିରେ ଅଳିଆ ଭରିବା ଓ ରାସ୍ତାଘାଟ ସଫେଇ କାମ କରି ସରକାରୀ ମଜୁରି ନିୟମାବଳୀ ଅନୁଯାୟୀ ପାରିଶ୍ରମିକ ପାଇଆସୁଛନ୍ତି । ହେଲେ ଏବେ ସିଏମସି ପକ୍ଷରୁ ସବୁ ୱାର୍ଡକୁ ଘରୋଇ ସଂସ୍ଥାମାନଙ୍କୁ ପରିମଳ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ପ୍ରଭାବିତ ହେବାର ଭୟ ଓ ଆଶଙ୍କାରେ ରହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଏସଏଚଜି ଯୋଜନା ଦ୍ୱାରା ତିଆରି ହୋଇଥିବା ପୁରୁଷ ଓ ମହିଳା ଗୋଷ୍ଠୀ କେବଳ ସରକାରୀ ବ୍ୟବସ୍ଥାରେ କାମ କରିବେ । ଘରୋଇ ସଂସ୍ଥା ପାଇଁ ସରକାର ଯୋଜନା କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ଡ୍ରାଇଭର, ଲୋଡର ଓ ସଫେଇ କର୍ମୀମାନେ କେବଳ ମହାନଗର ନିଗମ ଅଧିନରେ କାମ କରି ସରକାରୀ ନିୟମରେ ପାରିଶ୍ରମିକ ପାଇବା ପାଇଁ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରମିକ ନେତା ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବିଷ୍ଣୁ ନାୟକ, ବିଜୟ କୁମାର ବେହେରା, ବାପି ନାୟକ, ମୁନା ନାୟକ, ସାଗର ନାୟକ, ରିଙ୍କୁ ନାୟକ, ଶ୍ରୀଦେବୀ ନାୟକ, ଗୀତା ନାୟକ ପ୍ରମୁଖ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ ।