ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନ୍, ୪ଟି ବଗି ଲାଇନ୍ଚ୍ୟୁତ
ସମ୍ବଲପୁର: ସମ୍ବଲପୁର ସହରର ସର୍ଲା ୟାର୍ଡ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ବୁଧବାର ରାତି ପ୍ରାୟ ୯ଟାରେ ଝାରସୁଗୁଡ଼ା ପଟୁ ଆସୁଥିବା ସିମେଣ୍ଟ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଏହାର ୪ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି କାରଣରୁ ରେଳ ଯାତାୟତ ସାମୟିକ ପ୍ରଭାବିତ ହୋଇଛି। କିଛି ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ କିପରି ଏହି ଦୁର୍ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଗୁରୁବାର ୨ ଯୋଡ଼ା ଟ୍ରେନ୍ ବାତିଲ କରା ଯାଇଥିବାବେଳେ ୪ଟି ଟ୍ରେନ୍ର ଦିଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ଗୁରୁବାର (୦୮୧୭୧/୦୮୧୭୨)ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର ଓ (୨୨୮୩୯/୨୨୮୪୦) ରାଉରକେଲା-ଭୁବନେଶ୍ବର-ରାଉରକେଲା ସୁପର୍ଫାଷ୍ଟ ଇଣ୍ଟର୍ସିଟି ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ଅନ୍ୟ ପକ୍ଷରେ ବୁଧବାର ୧୨ ତାରିଖ ରାତିରେ ଉଭୟ ଦିଗରୁ ଛାଡ଼ିଥିବା (୧୮୧୧୭/୧୮୧୧୮) ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ସରଲା ୟାର୍ଡ ଦେଇ କର୍ଭ ଲାଇନ୍ରେ ଯିବା ବଦଳରେ ଯଥାକ୍ରମେ ଝାରସୁଗୁଡ଼ା ଓ ସମ୍ବଲପୁର ସିଟି ଷ୍ଟେସନ୍ରୁ ସମ୍ବଲପୁର ଜଂସନ୍ (କ୍ଷେତରାଜପୁର) ଷ୍ଟେସନକୁ ଆସିବ ଓ ଏଠାରୁ ବିପରୀତ ଦିଗରେ ଯାତ୍ରା କରିବ। ସେହିପରି ବୁଧବାର ୧୨ ତାରିଖ ଧାନବାଦ ଛାଡ଼ିଥିବା (୦୨୮୩୧) ଧାନବାଦ-ଭୁବନେଶ୍ବର ସ୍ବତନ୍ତ୍ର ଏକ୍ସପ୍ରେସ୍ ସମ୍ବଲପୁରକୁ ବାଇପାସ୍ କରି ସରଲାରୁ କର୍ଭ ଲାଇନ୍ରେ ଯିବା ବଦଳରେ ଝାରସୁଗୁଡ଼ା ପଟୁ ସମ୍ବଲପୁର ଷ୍ଟେସନ୍କୁ ଆସିବ ଓ ଏଠାରୁ ସିଟି ଷ୍ଟେସନ୍ ଦେଇ ଭୁବନେଶ୍ବର ଅଭିମୁଖେ ଯିବ। ସେହିପରି ୧୩ ତାରିଖ ପୁରୀ ଛାଡ଼ିଥିବା ୨୦୯୧୮ ପୁରୀ-ଇନ୍ଦୋର ହମ୍ସଫର ଏକ୍ସପ୍ରେସ୍ ମଧ୍ୟ ସମ୍ବଲପୁର ସିଟି ଷ୍ଟେସନ୍ରୁ ସମ୍ବଲପୁର ଷ୍ଟେସନ୍ ଆସି ଏଠାରୁ ଝାରସୁଗୁଡ଼ା ଅଭିମୁଖେ ଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।