ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଏଣିକି ଲୋକଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରିପାରିବନି ଆମ୍ବୁଲାନ୍ସ । ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି । ପରବର୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ସେହିପରି ସାଧାରଣ ଓ ଲାଇଫ୍ ସପୋର୍ଟ ଥିବା ଆମ୍ବୁଲାନ୍ସ ପାଇଁ ଭିନ୍ନଭିନ୍ନ ଦର ଧାର୍ଯ୍ୟ କରାଯାଇଛି ।
ବିଜ୍ଞପ୍ତି ଅନୁଯାୟୀ ମାରୁତି ଓମନି , ଟାଟା ମ୍ୟାଜିକ୍ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ବାବଦକୁ ୭୫୦ ଟଙ୍କା ଓ ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଭଡ଼ା ନେବେ । ବୋଲେରୋ ଭଳି ମଧ୍ୟ ବର୍ଗର ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ନେବେ । ସେହିଭଳି ଲାଇଫ୍ ସପୋର୍ଟ ଥିଲେ ୧୦ କିମିକୁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ୱିଙ୍ଗର , ଟ୍ରାଭେଲର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବେ । ସେଥିରେ ଲାଇଫ ସପୋର୍ଟ ଥିଲେ ୨୦୦୦ ଟଙ୍କା ନେବେ । ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦେବାକୁ ପଡ଼ିବ । ୧୦ କିମିରୁ ଅଧିକ ଦୂର ହେଲେ କିମି ପିଛା ଅତିରିକ୍ତ ଛୋଟ ଆମ୍ବୁଲାନ୍ସ ପାଇଁ ୩୦ ଟଙ୍କା , ମଧ୍ୟମ ଓ ବଡ ଆମ୍ବୁଲାନ୍ସ ପାଇଁ ୫୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି । ଆମ୍ବୁଲାନ୍ସ ଦର ସହ ଅକ୍ସିଜେନ୍ , ଆମ୍ବୁଲାନ୍ସ ଉପକରଣ, ପିପିଇ କିଟ୍ , ଗ୍ଲୋଭସ୍ , ମାସ୍କ ଆଦି ଅନ୍ତର୍ଭୁକ୍ତ ରହିବ ।