ପାରଦ ପୁଣି ଉପରମୁହାଁ, ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ରାଜ୍ୟରେ ପୁଣି ପାରଦ ଉପରମୁହାଁ । ଫଳରେ ବଢିଛି ତାତି । ରାଜ୍ୟର ୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ଆଉ ୭ ସହର ୩୯ ଡିଗ୍ରୀ ତାତିରେ ସିଝିଛି । ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆଉ କିଛି ଦିନ ରହିବ । ବର୍ତ୍ତମାନ ୪ ଦିନ ଭିତରେ ତାତି କମିବା ସମ୍ଭାବନା କମ୍ । ଖାଲି ସେତିକି ନୁହେଁ, କାଳବୈଶାଖୀ ସମ୍ଭାବନା ଏବେ କମ୍ ଥିବାରୁ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ପାଣିପାଗ ବିଭାଗ ଅନୁସାରେ, ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ସୂଚନା ଯେ, ସୋମବାର ବୌଦ୍ଧ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫, ଟିଟିଲାଗଡ଼ ୪୦, ମାଲକାନଗିରି ୪୦ ଡିଗ୍ରୀ ଗ୍ରୀଷ୍ମ ତାତିରେସନ୍ତୁଳି ହୋଇଥିଲା । ଅନ୍ୟ ସହର ମଧ୍ୟରେ ଭବାନୀପାଟଣା ୩୯.୫ ଡିଗ୍ରୀ, ତାଳଚୋ ୩୯.୩, ବାରିପଦା ୩୯.୨, ଝାରସୁଗୁଡ଼ା ୩୯.୨, ହୀରାକୁଦ ୩୯.୧, ଭୁବନେଶ୍ୱର ୩୯ ଡିଗ୍ରୀ ତାତିରେ ସିଝିଥିଲା । କଟକ, ନୟାଗଡ଼, ଚାନ୍ଦବାଲି ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ରାଜ୍ୟ ସାରା ଗରମ ବଢ଼ିଥିବାବେଳେ ଗାଏବ ହୋଇଯାଇଛି କାଳବୈଶାଖୀ ।