ଆଜିଠୁ ୫ଦିନ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ

ଭୁବନେଶ୍ୱର : ଆଜିଠୁ ୫ଦିନ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ଚାଲିବ। ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଚକିଆ ଗାଡି ଚାଳକ କିମ୍ବା ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧୁ ନଥିବାରୁ ଅଧିକାଂଶ ଦୁର୍ଘଟଣାରେ ଏହା ମୃତ୍ୟୁର କାରଣ ପାଲଟୁଛି। ସହର ଭିତରେ ଗାଡି ଚାଳକ ମାନେ ହେଲମେଟ ପିନ୍ଧୁଛନ୍ତି କିନ୍ତୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଯିବା ସମୟରେ ହେଲମେଟ ପିନ୍ଧୁ ନଥିବା ଜଣାପଡ଼ିଛି।
ଗତ ଅଗଷ୍ଟ ୧୬ରୁ ୩୦ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚ ବେଳେ ୨୪୪୭୪ଜଣ ହେଲମେଟ ନପିନ୍ଧି ୬୪ଲକ୍ଷ ଜରିମାନା ଗଣିବା ସହ ୪୭୬୨ ଡିଏଲ ରଦ୍ଦ ହୋଇଥିଲା। ଏହି ଅଭିଯାନରେ ଚାରିଚକିଆ ଗାଡିରେ ଆଗରେ ବସୁଥିବା ବ୍ୟକ୍ତି ଓ ଚାଳକଙ୍କ ସିଟ୍ ବେଲ୍ଟକୁ କଡାକଡି ଯାଞ୍ଚ କରାଯିବ। ଅନେକ ସମୟରେ ଦ୍ରୁତଗତି ଓ ଓଭରଲୋଡିଂ ପାଇଁ ମଧ୍ୟ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାଞ୍ଚ କରାଯିବ।
ହେଲମେଟ ଓ ସିଟ ବେଲ୍ଟ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦୁଇଦିନ ସକାଳ ୯ରୁ ୧୨ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ମଧ୍ୟରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ସେହିପରି ସ୍କୁଲ ବସଗୁଡିକ ଯାଞ୍ଚ ଆସନ୍ତାକାଲି ଓ ୧୪ତାରିଖ ଦିନ ସକାଳ ୬ଟାରୁ ୧୦ଟା ଏବଂ ଦିନ ୩ଟାରୁ ସଂଧ୍ୟା ୬ପର୍ଯ୍ୟନ୍ତ ହେବ। ଭାରୀଯାନଗୁଡିକର ଓଭରଲୋଡିଂ ଯାଞ୍ଚ ଆସନ୍ତା ୧୬ ଓ ୧୭ ଦୁଇଦିନ ଧରି ସଂଧ୍ୟା ୬ରୁ ସକାଳ ୬ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲମେଟ ନଥାଇ ଗାଡି ଚଳାଉଥିଲେ କିମ୍ବା ଓଭରଲୋଡିଂ ଓ ଦ୍ରୁତଗତି ପାଇଁ ୩ମାସ ଡିଏଲ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଆରଟିଓମାନେ ଯାଞ୍ଚ ଅଭିଯାନ ପୁଲିସ ସହ ସମନ୍ୱୟ ରଖି କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଆରଟିଓ ଓ ଏମଭିଆଇମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇପାରିବେ। ଓଡ଼ିଶା ମୋଟରଯାନ ସଂଶୋଧିତ ଆଇନ ୨୦୧୯ଅନୁସାରେ ଗାଡି ଚାଳକ ହେଲମେଟ ପିନ୍ଧିନଥିବା କ୍ଷେତ୍ରରେ ୧ହଜାରଟଙ୍କା ଜରିମାନା ଆଦାୟ କରାଯିବ। ଯଦି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ତା’ହେଲେ ସେମାନଙ୍କଠାରୁ ଏକ ହଜାର ଜରିମାନା ସହ ଚାଳକଙ୍କ ଡିଏଲ୍ ୩ମାସ ପାଇଁ ବାତିଲ କରାଯିବ।