ବର୍ଷା ଓ ଅନୁଭବ ପାରିବାରିକ ମାମଲା; ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି
କଟକ : ହାଇକୋର୍ଟରେ ବର୍ଷା ଓ ଅନୁଭବ ପାରିବାରିକ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୫ରେ ହେବ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ମେ’ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ ।
ସୂଚନା ଯେ, ପୂର୍ବରୁ କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ, ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବାବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ ।