ଆଜି ବିନାୟକ ବ୍ରତ, ଜାଣନ୍ତୁ ମହତ୍ତ୍ୱ…! କରନ୍ତୁ ଚନ୍ଦ୍ର ଦର୍ଶନ, ପ୍ରାପ୍ତ ହେବ ଗଣେଶଙ୍କ ବିଶେଷ କୃପା
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ । ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।
ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଗଣେଶଙ୍କୁ ଚତୁର୍ଥୀ ତିଥି ବହୁତ ପ୍ରିୟ ଅଟେ । ଏଥିପାଇଁ ଚତୁର୍ଥୀ ତିଥିରେ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନ ମଙ୍ଗଳମୟ, ଜ୍ଞାନ ଏବଂ ଐଶର୍ଯ୍ୟ ପ୍ରାପ୍ତ ହେବା ସହ ଦୁଃଖ ଏବଂ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କାରଣ ଗଣେଶ ବିଘ୍ନହର୍ତା ଅଟନ୍ତି ।
ବ୍ରତର ମହତ୍ତ୍ୱ :
ବିନାୟକ ବ୍ରତରେ ଚନ୍ଦ୍ର ଦର୍ଶନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇଥିବା ବରଦ ଚତୁର୍ଥୀ ବ୍ରତ ଚନ୍ଦ୍ର ଦର୍ଶନ ପରେ ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ କରି ଘିଅ ଦାନ କରିବା ଆବଶ୍ୟକ ଅଟେ । ସେଥିପାଇଁ ଏକ ତମ୍ବା ପାତ୍ରରେ ବିଶୁଦ୍ଧ ଜଳ ସହ ସେଥିରେ ଲାଲ ଚନ୍ଦନ, କୁଶ, ଫୁଲ,ଚାଉଳ ଆଦି ଭରି ଚନ୍ଦ୍ରଙ୍କୁ ଘିଅ ଦାନ ଅର୍ପଣ କରି କୁହନ୍ତୁ ଯେ , ‘ଗଗନ ରୂପି ସମୁଦ୍ରର ମାଣିକ୍ୟ ଚନ୍ଦ୍ରମା! ଦକ୍ଷ କନ୍ୟା ରୋହିଣୀର ପ୍ରିୟତମ! ଗଣେଶଙ୍କର ପ୍ରତିବିମ୍ବ! ଆପଣ ମୋର ଅର୍ପଣ କରୁଥିବା ଏହି ଘିଅକୁ ସ୍ୱିକାର କରନ୍ତୁ ।’ ଚନ୍ଦ୍ରମାଙ୍କୁ ଏହି ଘିଅ ଦାନ କରିବା ଦ୍ୱାରା ସୌଭାଗ୍ୟ , ଆଶୀର୍ବାଦ ପ୍ରାପ୍ତ ହେବା ସହ ସମସ୍ତ ନକରାତ୍ମକ ବିଚାରକୁ ଦୂର କରି ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ । ଏହାସହ ଚନ୍ଦ୍ରମାଙ୍କୁ ଘିଅ ଦାନ କରିବା ଦ୍ୱାରା ଚନ୍ଦ୍ରସ୍ଥିତି ଦୃଢ ହୋଇଥାଏ ।
ଚନ୍ଦ୍ରଦେବଙ୍କ ଦର୍ଶନ :
ହିନ୍ଦୁ ଧର୍ମରେ ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ। ବୁଧବାର ଦିନ ବିନାୟକ ଚତୁର୍ଥୀ ପଡିବା ଅତ୍ୟନ୍ତ ଶୁଭ। ଏହି ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କଲେ ଶହେ ଗୁଣ ଫଳ ପ୍ରାପ୍ତ ହୋଇଥାଏ। ବିନାୟକ ଚତୁର୍ଥୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଆଦି ସାରି ମନ୍ଦିରରେ ଧୂପ-ଦୀପ ପ୍ରଜ୍ବଳିତ କରି ପୂଜା କରିବା ଉଚିତ। ବିନାୟକ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ଗଙ୍ଗା ଜଳରେ ସ୍ନାନ କରି, ସଫା ବସ୍ତ୍ର ପରିଧାନ କରାଇ, ଦୁବ ଓ ଲଡୁ କିମ୍ବା ମୋଦକ ନିଶ୍ଚୟ ଅର୍ପଣ କରିବା ଉଚିତ।
ଏହି ଦିନ ଗଣେଶଙ୍କ ପ୍ରତିରୂପ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା କରାଯାଇଥାଏ। ଧାର୍ମିକ ବିଶ୍ୱାସ ଅନୁସାରେ ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ରଦେବଙ୍କ ଦର୍ଶନ ଦ୍ୱାରା ବ୍ରତ ପୂର୍ଣ୍ଣ ହୋଇଥାଏ। ଆଜି ସନ୍ଧ୍ୟାରେ ରୁପା କିମ୍ବା ମାଟି ପାତ୍ରରେ ପାଣିରେ କ୍ଷୀର ମିଶାଇ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଶୁଭ ବୋଲି କୁହାଯାଏ। ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ରମା ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇଥିବା ବିନାୟକ ଚତୁର୍ଥୀ ବ୍ରତ ଚନ୍ଦ୍ର ଦର୍ଶନ ପରେ ସମାପ୍ତ ହୋଇଥାଏ। ସେଥିପାଇଁ ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନିଶ୍ଚୟ କରିବା ଉଚିତ।
ବିଶ୍ୱାସ ଅନୁଯାୟୀ, ଯେଉଁମାନେ ପୁରା ଶ୍ରଦ୍ଧାର ସହ ବିନାୟକ ଚତୁର୍ଥୀ ବ୍ରତ ପାଳନ କରନ୍ତି ସେମାନଙ୍କୁ ଗଣେଶଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଗଣପତିଙ୍କ ପୂଜାର୍ଚ୍ଚନା ଦ୍ୱାରା ବିଗିଡି ଯାଇଥିବା କାମ ମଧ୍ୟ ହୋଇଯାଇଥାଏ। ଜୀବନରେ କୌଣସି ପ୍ରକାର ବାଧା ଥିଲେ ତାହା ବି ସମାପ୍ତ ହୋଇଯାଇଥାଏ। ଗଣପତି ନିଜ ଭକ୍ତଙ୍କ ବିଘ୍ନ ହରଣ କରନ୍ତି। ସେଥିପାଇଁ ତାଙ୍କୁ ବିଘ୍ନହର୍ତ୍ତା ମଧ୍ୟ କୁହାଯାଏ।