ମୋଦକ ପ୍ରିୟ ଗଣେଶ, ଜାଣନ୍ତୁ ଏହା ପଛର ରୋଚକ କାହାଣୀ
ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି । ହିନ୍ଦୁଧର୍ମରେ ପାଳିତ ପ୍ରମୁଖ ପର୍ବପର୍ବାଣୀ ମଧ୍ୟରୁ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ରତା ରହିଛି । ଏହି ଦିନରେ ବୁଦ୍ଧି, ସଂବୃଦ୍ଧି ଓ ସୌଭାଗ୍ୟ ଦେବତା ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା । ଗଣେଶ ପୂଜାରେ ପ୍ରଭୁ ଗଜାନନଙ୍କୁ ପ୍ରସନ୍ନ କରିବାର କେତେଗୁଡିଏ ଉପାୟ ଅଛି । ସେଥିମଧ୍ୟରୁ ମୋଦକ ଅନ୍ୟତମ । ଭଗବାନ ଗଣେଶଙ୍କର ମୋଦକ ଖୁବ୍ ପ୍ରିୟ ତେଣୁ ଗଣେଶ ଚତୁର୍ଥୀ ଦିନ ଲଡୁ ଭୋଗ ଲଗାଯାଏ ଯାହା ସିଦ୍ଧି ପ୍ରଦାନ କରିଥାଏ । ଏହାଦ୍ୱାରା ମନସ୍କାମନା ମଧ୍ୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।
ଗଣେଶଙ୍କୁ ୨୧ ପ୍ରକାର ମୋଦକ ଭୋଗ ଆକାରରେ ଅର୍ପଣ କରାଯାଏ । ମୋଦକକୁ ଚାଉଳ ଗୁଣ୍ଡ, ଅଟା କିମ୍ବା ମଇଦା ଭିତରେ ନଡ଼ିଆ ଓ ଗୁଡ଼ ମିଶ୍ରିତ ପୂର ଦିଆଯାଇ ପ୍ରସ୍ତୁତ କରାଯାଏ । ଏହା ପରେ ମୋଦକକୁ ସିଝା ଯାଏ କିମ୍ବା ଛଣା ଯାଏ । ଶେଷରେ ଏହା ଉପରେ ଶୁଦ୍ଧ ଗୁଆ ଘିଅର ଏକ ମୋଟା ପରତ ଲଗାଇ ଭୋଗ ଆକାରରେ ପୂଜା ହୁଏ ।
ମୋଦକ ଶବ୍ଦଟି ଆମୋଦ ଶବ୍ଦରୁ ଆସିଛି ବୋଲି କିଛି ପାରମ୍ପରିକ ପୁରାଣ ବିଶେଷଜ୍ଞମାନେ କୁହନ୍ତି । ହିନ୍ଦୁ ଧର୍ମରେ ଗଣେଶ ଆନନ୍ଦ ବା ଆମୋଦ ପ୍ରଦାନକାରୀ ଦେବତା ହୋଇଥିବାରୁ ମୋଦକ ତାଙ୍କର ପ୍ରିୟ ବୋଲି ଯୁକ୍ତି କରନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି କିଛି ସ୍ଥାନରେ ମୋଦକ ଭାବେ ଚିହ୍ନିତ ପ୍ରସାଦ, ଭାରତରେ ସିଂହଭାଗ ଅଞ୍ଚଳରେ ଳଡୁ ଭାବେ ଜଣାଣୁଣା ।
ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ଗୋଆରେ ଗଣେଷ ପୂଜା ଖୁବ୍ ଧୁମ୍ଧାମ୍ ରେ ପାଳନ କରାଯାଏ । ବିଭିନ୍ନ ସ୍ଥାନରେ ମୋଦକର ଅଲଗା ଅଲଗା ନାମ ରହିଛି । ଯେପରିକି ତାମିଲ ଭାଷାରେ ‘କୋଜାକାଟାଇ’, କନ୍ନଡରେ ‘ମୋଦକ ବା କଡୁବୁ’ ଏବଂ ତେଲୁଗୁ ଭାଷାରେ ଏହାକୁ ‘କୁଡୁମୁ’ ବୋଲି କୁହାଯାଏ । ଏହାଛଡା ଗମେଶଙ୍କୁ ମୋତିଚୁର ଲଡ୍ଡୁ ମଧ୍ୟ ଭୋଗ ଆକାରରେ ଲଗାଯାଏ । ସେଥିପାଇଁ ଯଦି ଘରେ ଭଗବାନ ଗମେଶଙ୍କର ସ୍ଥାପନା କରୁଛନ୍ତି ତେବେ ମୋତିଚୁର ଲଡ୍ଡୁ ମଧ୍ୟ ଘରେ ତିଆରି କରି ଭୋଗ ଲଗାଇ ପାରିବେ ।
ମୋଦକ କାହିଁକି ପ୍ରିୟ ?
ପୌରାଣିକ ତଥ୍ୟ ଅନୁଯାୟୀ, ଅନୁସୟା (ୠଷି ଅଟ୍ରିଙ୍କ ସ୍ତ୍ରୀ) ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କୁ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପାଇଁ ଦେଲେ। କିନ୍ତୁ ଗଣେଶଙ୍କ ପେଟ ପୂରିଲା ନାହିଁ। ଯାହା ପରଶାଗଲା ସେ ସବୁ ଖାଇ ଯାଉଥିଲେ । ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଗଲା । ଯାହା ଖାଇବା ପରେ ତାଙ୍କ ପେଟ ପୂରିଥିଲା । ସେ ସନ୍ତୁଷ୍ଟ ହୋଇଯାଇଥିଲେ । ସେବେଠୁ ଗଣେଶଙ୍କର ମୋଦକ ଅତଚି ପ୍ରିୟା ବୋଲି କୁହାଯାଏ ।
ଥରେ ଭଗବାନ ଶିବ ଶୋଇଥିଲେ ଏବଂ ଗଣେଶ ଜୀ ଦ୍ୱାର ଜଗି ରହିଥିଲେ । ସେହି ସମୟରେ ମହର୍ଷି ପର୍ଶୁରାମ ସେଠାରେ ପହଞ୍ଚିବାରୁ ଗଣେଶ ଜୀ ତାଙ୍କୁ ଦ୍ୱାରରେ ଅଟକାଇଥିଲେ। ଏଥିରେ ପର୍ଶୁରାମ କ୍ରୋଧିତ ହୋଇ ଗଣେଶଙ୍କ ସହ ଯୁଦ୍ଧ ଆରମ୍ଭ କଲେ। ଯୁଦ୍ଧରେ ପର୍ଶୁରାମ ଶିବ ଙ୍କ ଠାରୁ ପ୍ରାପ୍ତ ହୋଇଥିବା ଅସ୍ତ୍ର ‘ପର୍ଶୁ’ ସହିତ ଗଣେଶ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ। ଏହି ପ୍ରହାର ରେ ଗଣେଶ ଜୀଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ଦାନ୍ତ ଭାଙ୍ଗି ଯିବାରୁ ଗଣେଶ ଙ୍କୁ ଖାଦ୍ୟ ଚୋବାଇବାରେ ଅସୁବିଧା ହେଲା ତେଣୁ ତାଙ୍କ ପାଇଁ ନରମ ଖାଦ୍ୟ ସ୍ୱରୂପ ସ୍ୱାଦିଷ୍ଟ ମୋଦକ ପ୍ରସ୍ତୁତ ହେଲା ଓ ମୋଦକ ନରମ ଏବଂ ଏହାକୁ ଚୋବାଇବା ଆବଶ୍ୟକ ନାହିଁ ଓ ସେଥିପାଇଁ ଗଣେଶ ଏହାକୁ ପେଟବିହାରୀ ମହା ଆନନ୍ଦରେ ଖାଉଥିଲେ ଓ ସେହି ଦିନ ଠାରୁ ପ୍ରତିଦିନ ଖାଦ୍ୟରେ ଗଣେଶ ଙ୍କୁ ମୋଦକ ଦିଆଯାଇଥାଏ I
ସେହିପରି ମୋଦକକୁ ନେଇ ଆଉ ଏକ ରୋଚକ କାହାଣୀ ରହିଛି । ସମସ୍ତ ଦେବୀ ଦେବତା ମିଶି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭେଟ କରିବା ପାଇଁ କୈଳାଶ ପର୍ବତ ଯାଇଥିଲେ। ସେମାନେ ଏକ ମୋଦକ ଭେଟ ସ୍ଵରୂପ ସାଥୀରେ ନେଇଥିଲେ। ଏହାକୁ ଖାଇବା ବ୍ୟକ୍ତି ଶାସ୍ତ୍ର, କଳା, ବିଜ୍ଞାନ, କଳା ଓ ଲେଖନୀରେ ପାରଙ୍ଗମ ଓ ବୁଦ୍ଧିମାନ ହୋଇପାରିବ ବୋଲି ସେମାନେ କହିଥିଲେ। ଏହା ଶୁଣି ମାତା ପାର୍ବତୀ ଏହାକୁ ଦୁଇ ପୁଅ କାର୍ତ୍ତିକ ଓ ଗଣେଷଙ୍କ ଭିତରେ ସମାନ ଭାଗ ବାଣ୍ଟି ଦେବେ ବୋଲି ଭାବିଲେ। କିନ୍ତୁ ଦୁଇ ଭାଇ ଏହାକୁ ଭାଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ । ତେଣୁ ପାର୍ବତୀ ଏକ ଉପାୟ ଖୋଜି ବାହାର କଲେ । ଯିଏ ଯେତେ ଅଳ୍ପ ସମୟ ମଧ୍ୟରେ ପୃଥିବୀ ପରିକ୍ରମା କରି ଆସିବ ସେ ହେବ ଶ୍ରେଷ୍ଠ। ଆଉ ତାକୁ ହିଁ ପୁରସ୍କାର ସ୍ଵରୂପ ମିଳିବ ଏହି ମୋଦକ। ଏହା ଶୁଣି କାର୍ତ୍ତିକ ନିଜ ବାହାନରେ ବସି ତୁରନ୍ତ ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ। କିନ୍ତୁ ଗଣେଶ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ ଶିବ-ପାର୍ବତୀଙ୍କ ଚାରିପାଖେ ପରିକ୍ରମା କରିଥିଲେ। ପୃଥିବୀର କୌଣସି ସ୍ଥାନ ପିତା-ମାତାଙ୍କ ସହିତ ସମାନ ହୋଇପାରିବ ନାହିଁ । ଏହା ଶୁଣି ପାର୍ବତୀ ଖୁସି ହୋଇ ଗଣେଶଙ୍କୁ ମୋଦକ ପୁରସ୍କାର ସ୍ଵରୂପ ଦେଇଥିଲେ ।