ଏସିଆ କପ-୨୦୨୨ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ
ଚୂଡାନ୍ତ ଏକାଦଶରୁ ବାଦ୍ ପଡିଲେ ପନ୍ତ, କାର୍ତ୍ତିକ ସାମିଲ
ଦୁବାଇ : ଆଜି ଦୁଲୁକିବ ଦୁବାଇ । ସୁପରସଣ୍ଡେରେ ହେବ ସୁପର ଶୋ’। ଲଢ଼େଇ ଆର୍ ୟା ପାର୍। ମୁକାବିଲା କର୍ ବା ମର। ଫାଇନାଲ୍ ନହେଲେ ବି ୟେ ସୁପର ଫାଇନାଲ୍। ସାରା ଦେଶ, ସାରା ବିଶ୍ୱ, ସବୁ କ୍ରିକେଟ୍ ପ୍ରେମୀ ଚାହିଁ ରହିଛନ୍ତି । ଏସିଆ କପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ବହୁପ୍ରତୀକ୍ଷିତ ମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ ।
ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଭାରତ ତିନି ବିଶେଷଜ୍ଞ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଉଛି। ସେହିପରି ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ବର୍ଷଠାରୁ ଫର୍ମରେ ନଥିବା ବିରାଟ ଏହି ବଡ଼ ମ୍ୟାଚରେ ଏକ ଭଲ ଇନିଂସ ଖେଳିବେ ବୋଲି ଫ୍ୟାନମାନେ ଆଶା କରୁଛନ୍ତି । ସେହିପରି ଏହି ମ୍ୟାଚରେ ପାକିସ୍ତାନ ୩ ଦ୍ରୁତବୋଲର, ୨ ସ୍ପିନର ଖେଳାଉଛି । ପାକିସ୍ତାନ ପାଇଁ ନସିମ ଖାଁ ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି ।
ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ୧୦ ମାସ ପୂର୍ବରୁ ଆଇସିସି ଟି-୨୦ ବିଶ୍ବକପରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ହାତରୁ ପରାଜିତ ହେବାକୁ ପଡ଼ିଥିଲା ।ପାକିସ୍ତାନର ଗଲା କିଛି ମ୍ୟାଚକୁ ଦେଖିଲେ, ଭାରତ ପାଇଁ ମ୍ୟାଚରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ରୋହିତ ଶର୍ମା ପାକିସ୍ତାନକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଭାରତୀୟ ପ୍ରଶଂସକ ଆଶାବାଦୀ । ସେହିପରି ବିରାଟ କୋହଲି ମଧ୍ୟ ଫର୍ମକୁ ଫେରି ଦର୍ଶକଙ୍କ ମୁହଁରେ ହସ ଦେଖିବାକୁ ଚାହିଁବେ। ତେବେ ସୁପର ସଣ୍ଡେର ଏକ ସୁପର ମୁକାବିଲାକୁ ଅପେକ୍ଷା କରିଛନ୍ତି ୨ ଦେଶର ଫ୍ୟାନ୍ ।
ଭାରତ :
ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।
ପାକିସ୍ତାନ :
ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ବାବର ଆଜମ(ଅଧିନାୟକ), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ନସୀମ ଶାହ, ହାରିସ ରଉଫ, ଶାହାନଓ୍ଵାଜ ଦହାନୀ।