ଏସିଆ କପ-୨୦୨୨ : ବନ୍ୟା ପୀଡିତଙ୍କୁ ସମବେଦନା ଜଣାଇ ‘କଳା ପଟି’ ବାନ୍ଧି ମଇଦାନକୁ ଓହ୍ଲାଇବ ପାକିସ୍ତାନ ଖେଳାଳି
ଦୁବାଇ : ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଆଜି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ୍। ସୁପରସଣ୍ଡେରେ ହେବ ସୁପର ଶୋ’। ଦୁବାଇରେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଆମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଗତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି। ତେଣୁ ଦୁଇ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ ଏଥିରେ ଦେବେ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପ୍ରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଏସିଆ କପ୍ ୨୦୨୨ରେ ପାକିସ୍ତାନ କ୍ରିକେଟ୍ ଦଳ ଆଜି (ରବିବାର) ଭାରତ ବିପକ୍ଷରେ କଳା ରଙ୍ଗର ଫିତା ପିନ୍ଧି ଖେଳିବ। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ କ୍ରିକେଟ୍ ଦଳ ଦେଶର ବନ୍ୟା ପିଡୀତଙ୍କ ପ୍ରତି ସମବେଦନା ଜଣାଇବା ସ୍ୱରୂପ ହାତରେ କଳା ରଙ୍ଗର ଫିତା ପିନ୍ଧିବ।
ଏହି ମ୍ୟାଚ୍ରେ ପାକିସ୍ତାନ କ୍ରିକେଟ୍ ଦଳ କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇବେ। ପାକିସ୍ତାନରେ ଭୀଷଣ ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ସମର୍ଥନରେ ଖେଳାଳି କଳା ପଟି ବାନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଅଧିନାୟକ ବାବର ଆଜମ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ପାକିସ୍ତାନୀ କ୍ରିକେଟ୍ ବୋର୍ଡ(ପିସିବି)ର ଆନୁଷ୍ଠାନିକ ବୟାନରେ କୁହାଯାଇଛି, ପାକିସ୍ତାନ କ୍ରିକେଟ୍ ଦଲ ଏସିଆ କପ୍ରେ ଆଜି ନିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ବିପକ୍ଷରେ ଖେଳିବ। ମ୍ୟାଚ୍ରେ ପାକିସ୍ତାନ କଳା ପଟି ବାନ୍ଧି ଖେଳିବ। ଏହା ପାକିସ୍ତାନରେ ବନ୍ୟାଜନିତ ମୃତକଙ୍କ ସମର୍ଥନରେ ଏମିତି କରାଯିବ। ବାବର ଆଜମ କହିଛନ୍ତି, ଆମ ଦେଶ ପାଇଁ ମୁସ୍କିଲ ସମୟ ଚାଲିଛି। ଆମେ ସମସ୍ତ ବନ୍ୟା ପୀଡିତଙ୍କ ପାଇଁ ପ୍ରାର୍ଥନା କରୁଛୁ।
ସୂଚନା ଯେ, ପାକିସ୍ତାନରେ ବନ୍ୟା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧ ହଜାର ଅତିକ୍ରମ କରିଛି ଏବଂ ଗତ ଜୁନ୍ ମାସରୁ ବନ୍ୟାରେ ହଜାର ହଜାର ଲୋକ ଆହତ ଓ ଗୃହାଶୂନ୍ୟ ହୋଇଛନ୍ତି। ସେଠାକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ୍ ୧୪ରୁ ବର୍ଷା ଓ ବନ୍ୟାରେ ୧ ହଜାର ୫୨୭ ଜଣ ଆହତ ହୋଇଥିବା ବେଳେ ଅତି କମରେ ୧ ହଜାର ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଂଟାରେ ପ୍ରାୟ ୧୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ୧୧୦ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ପଡିଛି। ପାକିସ୍ତାନ ସରକାର ଏଥିପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୭.୩୦ ମିନିଟରେ ଉଭୟ ଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।