ଏସିଆ କପ୍-୨୦୨୨ : ଭାରତକୁ ୧୪୮ ରନର ବିଜୟ ଲକ୍ଷ୍ୟ ଦେଲା ପାକିସ୍ତାନ
ଦୁବାଇ : ଏସିଆ କପ୍ର ଦ୍ଵିତୀୟ ମୁକାବିଲାରେ ଦୁବାଇ ଠାରେ ଆଜି ସମ୍ନାସାମ୍ନି ହେଲେ ଭାରତ-ପାକିସ୍ତାନ। ମାତ୍ର ଫେଲ୍ ମାରିଲେ ପାକିସ୍ତାନର ନାମୀ ବ୍ୟାଟ୍ସମ୍ୟାନ । ବାବର ବ୍ରିଗେଡ ପାଇଁ ଆଜି ଦୁଃସ୍ୱପ୍ନ ପାଲଟି ଯାଇଛି ଟିମ ଇଣ୍ଡିଆର ମଜବୁତ ପେସ ଆଟାକ । ପାକିସ୍ତାନର ମିଡିଲ ଅର୍ଡରକୁ ପାଣ୍ଡ୍ୟା ଏବଂ ଧ୍ୱସ୍ତ ବିଧ୍ୱସ୍ତ କରିଛି ରୋହିତ ବାହିନୀ । ଭୁବନେଶ୍ଵର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ବଳରେ ଭାରତ ପାକିସ୍ତାନକୁ ବଡ ସ୍କୋର କରିବାକୁ ଦେଇ ନାହିଁ। ଫଳରେ ପାକିସ୍ତାନ ୧୯.୫ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ଟି-୨୦ ବିଶ୍ଵ କପ୍ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ସମ୍ମୁଖରେ ୧୪୮ ରନର ବିଜୟ ଲକ୍ଷ୍ୟ ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ(୧୦)ଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍ରେ ୨୭ ରନ ଯୋଡିଥିଲେ। ଦଳୀୟ ସ୍କୋର ୪୨ ରନରେ ଫକର ଜମାନ(୧୦)ଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ରିଜଓ୍ଵାନ ଏବଂ ଇଫତିକାର ଅହମ୍ମଦ ଭଲ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ରେ ୪୫ ରନ ଯୋଡିଥିଲେ। ଇଫତିକାରଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗି ଭାରତକୁ ତୃତୀୟ ସଫଳତା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଇଫତିକାର ୨୨ ବଲରୁ ୨୮ ରନ କରି ପାଭିଲିୟନ ଫେରିଥିଲେ। ତେବେ ୧୫ତମ ଓଭରରେ ପାକିସ୍ତାନକୁ ଲାଗ ଲାଗ ଦୁଇଟି ଝଟକା ଲାଗିଥିଲା। କ୍ରିଜରେ ଜମି ରହି ଇନିଂସ ସମ୍ଭାଳିଥିବା ମହମ୍ମଦ ରିଜଓ୍ଵାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ଝଟକା ଦେଇଛନ୍ତି ପାଣ୍ଡ୍ୟା। ରିଜଓ୍ଵାନ ୪୨ ବଲ୍ରୁ ୪ ଚୌକା ଏବଂ ୧ ଛକା ସହ ୪୩ ରନ କରିଥିଲେ। ରିଜଓ୍ଵାନଙ୍କ ଆଉଟ୍ ପରେ ନିମ୍ନ କ୍ରମରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ପୁଣି ଉକ୍ତ ଓଭରରେ ଖୁସଦିଲ ଶାହ(୨) ପାଣ୍ଡ୍ୟାଙ୍କ ତୃତୀୟ ଶିକାର ହୋଇଥିଲେ। ଆସିଫ ଅଲ୍ଲୀ(୯) ଭୁବନେଶ୍ଵରଙ୍କ ଶିକାର ହୋଇଥିଲେ। ମହମ୍ମଦ ନଓ୍ଵାଜ(୧)ଙ୍କୁ ଅର୍ଶଦୀପ ପାଭିଲିୟନ ପଠାଇଥିଲେ। ୧୯ ତମ ଓଭରରେ ଭୁବନେଶ୍ଵର କୁମାର ଲଗାତାର ଦୁଇଟି ବଲ୍ରେ ଶାଦବ ଖାନ(୧୦) ଏବଂ ନସୀମ ଶାହ(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୃଷ୍ଟି କରିଥିଲେ। ଶେଷରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୪୭ ରନରେ ଅଲଆଉଟ୍ ହୋଇଛି। ହାରିସ ରଉଫ ୧୩ ରନ କରି ଅପରାଜିତ ଥିଲେ। ଶାହାନଓ୍ଵାଜ ଦହାନି ୬ ବଲରୁ ୧୬ ରନ କରି ଅର୍ଶଦୀପ ସିଂହଙ୍କ ବଲରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୨୬ ରନ ଦେଇ ୪ଟି ସଫଳତା ପାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ ଦେଇ ୩, ଅର୍ଶଦୀପ ସିଂହ ୩୩ ରନରେ ୨ଟି ଏବଂ ୧୯ ରନ ଦେଇ ୧ଟି ଓ୍ଵିକେଟ୍ ନେଇଛନ୍ତି।