ଓଡ଼ିଶାରେ ୭୦ ଜଣଙ୍କ ଠାରେ ଭାରତୀୟ ଷ୍ଟ୍ରେନ୍ ବି. ୧.୬୧୭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍ ବି. ୧.୬୧୭ ଚିହ୍ନଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଘାତକ ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ସମ୍ପର୍କରେ ସୂଚନା ଦେଇଥିଲା । ଓଡ଼ିଶାରେ ୭୦ ଜଣଙ୍କ ଠାରେ ବିପଜ୍ଜନକ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଖାଲି ସେତିକି ନୁହେଁ, ବ୍ରିଟେନ୍ ଷ୍ଟ୍ରେନ୍ (ବି.୧.୧.୭)ର ୩୦ ଜଣଙ୍କଠାରେ ଠାବ ହୋଇଛି । ଭାରତୀୟ ଷ୍ଟ୍ରେନ୍ (ବି.୧.୬୧୭) ପ୍ରଥମେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିଲା । ପରେ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ଦେଖାଯାଇଥିଲା । ଏହି ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ କରିବା ସହ ଅଧିକ ଜୀବନ ନେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା । ଏହି ଭୂତାଣୁ ଓଡ଼ିଶାରେ ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।
ଏପଟେ ରାଜ୍ୟରେ ସଂକ୍ରମଣ କମୁନି । ଲକ୍ଡାଉନ୍, ସଟ୍ଡାଉନ ସବୁ ପରେ ବି ରାଜ୍ୟରେ ସଂକ୍ରମଣରେ ବ୍ରେକ୍ ଲାଗୁନି । ପଜିଟିଭ୍ ହାର ୨୨.୩୫%କୁ ବଢିଛି । ଅର୍ଥାତ ରାଜ୍ୟରେ ପରୀକ୍ଷା ହେଉଥିବା ୧୧ ନମୁନାରେ ୨ଟି ପଜିଟିଭ୍ ରହୁଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲ୍ରେ ଅଧିକ ବେଡ୍ ଆଉ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ବେଡ୍ ଅଭାବ ବଢୁଛି । ସେହିପରି ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଜାଣିବାକୁ ଆଜିଠୁ ଆରମ୍ଭ ହୋଇଛି ର୍ୟାଣ୍ଡମ ସାମ୍ପଲିଂ ସର୍ଭେ । ସାରା ରାଜ୍ୟରୁ ଏଥିପାଇଁ ନମୁନା ସଂଗ୍ରହ କରାଯାଉଛି । ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି, ଗତବର୍ଷ କରୋନା ହୋଇଥିବା ବ୍ୟକ୍ତି ସମେତ ନେଗେଟିଭ୍ ଆସିଥିବା ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଛି ନା ନାହିଁ ସର୍ଭେ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆରସି) ସର୍ଭେ କରୁଥିବା ସମ୍ପର୍କରେ ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।