୧୮ ଓ ୨୩ରେ ଆଉ ଦୁଇଟି ଲଘୁଚାପ ; ବନ୍ୟା ପରିସ୍ଥିତି ଆଶଙ୍କା
ଭୁବନେଶ୍ୱର : ପଶ୍ଚିମ ମିଆଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ଏହି ଲଘୁଚାପ ଯିବା ପରେ ପୁଣି ୧୮ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହା ପରେ ଅର୍ଥାତ ୨୩ ବେଳକୁ ଆଉ ଏକ ଲଘୁଚାପ ଆସିବାର ସମ୍ଭାବନା ରହିଛି। ଯହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦି ୨୩ ତାରିଖ ଲଘୁଚାପ ସୃଷ୍ଟି ହୁଏ ତେବେ ଚଳିତ ମାସ ସାରା ରାଜ୍ୟରେ ବର୍ଷାର ପ୍ରକୋପ ଲାଗି ରହିବାର ସମ୍ଭାବନା ରହିଛି।
ଶନିବାର ସୃଷ୍ଟି ହେବାକୁ ଥିବା ଲଘୁଚାପ ଦ୍ୱାରା ପ୍ରଥମ ଦିନରେ ୧୬ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ୪ ଜିଲାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ (୨୦ ସେମିରୁ ଅଧିକ)ବର୍ଷା ହେବ। ଏହାସହିତ ବାକି ୧୦ ଜିଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଫଳରେ ୧୩ ଓ ୧୪ ତାରିଖରେ ରାଜ୍ୟର ସବୁ ଜିଲାରେ ପ୍ରବଳ ବର୍ଷା କରାଇବ। ସେହିପରି ଲଘୁଚାପ ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ସେହିପରି ୧୩ ତାରିଖରୁ ୧୫ ଯାଏଁ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହ ଏହାର ଝଟକା ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୧୫ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ସୂଚନା ଯେ, ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲା ଟେନ୍ସାରେ ସର୍ବାଧିକ ୧୧୩.୪ ମିମି ବର୍ଷା ରେର୍କଡ କରାଯାଇଥିବା ବେଳେ ଦେବଗଡ଼ ଜିଲ୍ଲାର ବାରକୋଟ୍ ୧୧୨.୫, ବରଗଡ଼ରେ ୧୦୭.୦, କୁଚିଣ୍ଡାରେ ୯୦.୩, ମାର୍ଶଘାଇରେ ୭୨.୦, ଦେବଗଡ଼ରେ ୬୬.୦, ହୀରାକୁଦରେ ୬୨.୪ ଓ ଚମ୍ପୁଆରେ ୬୧.୦ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।