ଆଜି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଜାଣନ୍ତୁ କାର୍ଯ୍ୟସୂଚୀ
ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ସମୟରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ବି ସାମିଲ ହେବେ । ଶାହଙ୍କ ଏହି ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଜଣାଯାଇଛି।
ସୂଚନା ଯେ, ରବିବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ରାତ୍ରି ଯାପନ କରିବେ। ୮ ତାରିଖ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଯାଇ ତାଙ୍କ ଜନ୍ମପୀଠ ବୁଲିବେ। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ପ୍ରଜାତନ୍ତ୍ରର ୭୫ ବର୍ଷ ପାଳନ ଅବସରରେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଅପରାହ୍ନ ୫ଟାରେ ମୋଦି@୨୦ ଡିଜିଟାଲ ଇଣ୍ଡିଆର ଉନ୍ମୋଚନ କରିବେ। ଅପରାହ୍ନ ୬ଟା୧୫ରେ ଭୁବନେଶ୍ୱର ଛାଡ଼ିବେ ଶାହ।
ଶାହଙ୍କ ଏହି ଗସ୍ତ ଓଡିଶାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉତ୍ସାହ ଭରି ଦେଇଛି । ଭୁବନେଶ୍ୱର ବିମାନ ବନ୍ଦର ଠାରୁ ଆରମ୍ଭ କରି କଟକ ଫୁଲନଖରା ଛକ, ଲିଙ୍କ ରୋଡ଼ ଛକ, ନିଶାମଣି ହଲ, ପାଲା ମଣ୍ଡପ, ବାଦାମବାଡ଼ି, ଦୋଳମୁଣ୍ଡାଇ, ହରିପୁର, ସେମିନାର ଛକ ଓ ଦର୍ଘା ବଜାର ଛକ ଦେଇ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଶାହଙ୍କୁ ଦଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ଫେରିବା ବେଳେ ତିନିକୋଣିଆ ବଗିଚା, ବକ୍ସି ବଜାର, ଚଣ୍ଡୀ ମନ୍ଦିର ଛକ, ବାରବାଟି ଦୁର୍ଗ ଓ କଲେଜ ଛକ ଦେଇ ପ୍ରତ୍ୟାବର୍ତ୍ତନ କରିବେ । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଢଙ୍ଗରେ ଅମିତ ଶାହଙ୍କୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।