ସର୍ଭେ ରିପୋର୍ଟ : ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପି ଓ କଂଗ୍ରେସକୁ ମିଳିବ କେତେ ଆସନ? ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କୁ କିଏ ଦେଉଛନ୍ତି ଟକ୍କର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରୁ ଦେଶର ସବୁଠାରୁ ଲୋକପ୍ରିୟ ନେତା, ଏଥିରୁ କୌଣସି ଦ୍ୱିମତ ନାହିଁ । ଅନେକ ନିର୍ବାଚନ ଫଳାଫଳରୁ ଏହା ପ୍ରମାଣିତ ହୋଇସାରିଛି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରଚଣ୍ଡ ବିଜୟ ସହ ସରକାର ଗଠନ କରିଥିଲେ । କିନ୍ତୁ ପ୍ରଥମେ କୋରୋନା ମହାମାରୀ ଓ ବର୍ତ୍ତମାନ ବିରୋଧୀଙ୍କ ଦ୍ୱାରା ମୁଦ୍ରାସ୍ଫୀତି-ବେକାରୀ ସମସ୍ୟା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ଲୋକସଭା ନିର୍ବାଚନରେ ପୁଣି ଥରେ ସରକାର ଗଠନ କରିପାରିବ କି? ନା ବିରୋଧୀ ମୋଦିଙ୍କୁ କ୍ଷମତାରୁ ବେଦଖଲ କରିବାକୁ ସମର୍ଥ ହେବେ? ନିକଟରେ ହୋଇଥିବା ଏକ ସର୍ଭେରେ ଏହା ଉପରେ ଆକଳନ କରାଯାଇଛି ।
ଇଣ୍ଡିଆ ଟିଭି ମ୍ୟାଟେରିଜ୍ ସର୍ଭେ କହିଛି ଯେ, ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୬୨ ଆସନ ଜିତିପାରେ, ତେବେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୯୭ ଆସନରେ ଅଟକି ଯିବ । ଅଣ ଏନଡିଏ ଓ ଅଣ ୟୁପିଏ ଦଳକୁ ୮୪ଟି ଆସନ ମିଳିପାରେ । କେବଳ ବିଜେପିକୁ ହିଁ ୨୯୨ଟି ଆସନ ମିଳିପାରେ ବୋଲି ଏହି ସର୍ଭେରେ ଅନୁମାନ କରାଯାଇଛି, ଯାହା ସରକାର ଗଢ଼ିବା ପାଇଁ ୨୭୨ର ମ୍ୟାଜିକ ନମ୍ୱର ଠାରୁ ଅଧିକ । ସେପଟେ କଂଗ୍ରେସର ଆସନ ସଂଖ୍ୟା କମି ୩୯ରେ ପହଞ୍ଚିପାରେ । ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କିଏ ବିକଳ୍ପ ଭାବେ ମନେ କରାଯାଉଛି ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଇଛି । ରାହୁଲ ଗାନ୍ଧୀ ଏହି ରେସରେ ସବୁଠାରୁ ଆଗରେ ଅଛନ୍ତି, ଆଗାମୀ ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ପାରନ୍ତି ।
ଯେତେବେଳେ ଲୋକଙ୍କୁ ପଚରାଯାଇଥିଲା ଯେ ସେମାନେ ୨୦୨୪ରେ ପିଏମ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜର ଭାବେ କାହାକୁ ଦେଖୁଛନ୍ତି, ୨୩ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବିକଳ୍ପ ଭାବରେ ଠିଆ ହୋଇପାରନ୍ତି । ଏଥି ସହିତ, ଏହି ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ନମ୍ବର ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୧୯ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜର ଭାବେ ଦେଖୁଛନ୍ତି । ୧୧ ପ୍ରତିଶତ ଲୋକ କହିଛନ୍ତି ଯେ ମମତା ବାନାର୍ଜୀ ଏକ ବିକଳ୍ପ ଭାବରେ ଉଭା ହୋଇପାରନ୍ତି । ୮ ପ୍ରତିଶତ ଲୋକ ନୀତିଶ କୁମାରଙ୍କୁ ଜଣେ ଚ୍ୟାଲେଞ୍ଜର ମନେ କରୁଥିବାବେଳେ ୮ ପ୍ରତିଶତ ସୋନିଆ ଗାନ୍ଧୀ, ୬ ପ୍ରତିଶତ ଏମ.କେ ଷ୍ଟାଲିନ, ୫ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ଚ୍ୟାଲେଞ୍ଜର ବୋଲି ଭାବନ୍ତି । ୪ ପ୍ରତିଶତ ଲୋକ ଚନ୍ଦ୍ରଶେଖର ରାଓଙ୍କୁ ଚ୍ୟାଲେଞ୍ଜର ବୋଲି ମନେ କରନ୍ତି । ୪ ପ୍ରତିଶତ ପ୍ରିୟଙ୍କା ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କୁ ୨ ପ୍ରତିଶତ ଏହା ପାଇଁ ଯୋଗ୍ୟ ଭାବନ୍ତି ।
ଇଣ୍ଡିଆ ଟିଭି ସର୍ଭେରେ କୁହାଯାଇଛି ଯେ, ଦେଶର ୪୮ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏଥି ସହିତ ୧୧ ପ୍ରତିଶତ ଲୋକ ଏହି ପଦରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଚାହୁଁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୮ ପ୍ରତିଶତ ଲୋକ ପସନ୍ଦ କରନ୍ତି । ୭ ପ୍ରତିଶତ ଲୋକ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରନ୍ତି । ୬ ପ୍ରତିଶତ ମାୟାବତୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ମନେ କରୁଥିବାବେଳେ ୬ ପ୍ରତିଶତ ଲୋକ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି । ଏଥି ସହିତ ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଦୌଡ଼ରେ ବହୁ ପଛରେ ଦେଖିବାକୁ ମିଳିଛି । ୪ ପ୍ରତିଶତ ଲୋକ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରିଛନ୍ତି । ନୀତିଶ କୁମାରଙ୍କୁ ୪ ପ୍ରତିଶତ, କେ ଚନ୍ଦ୍ରଶେଖର ରାଓଙ୍କୁ ୩ ପ୍ରତିଶତ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ୨ ପ୍ରତିଶତ ଲୋକ ପିଏମ ପଦ ପାଇଁ ପସନ୍ଦ କରିଛନ୍ତି ।