ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ
କୋଲକାତା : କରୋନା ସଂକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଜରୁରି ଔଷଧ ଏବଂ ଉପକରଣ ଆମଦାନୀ ଲାଗି ଶୁଳ୍କ ରିହାତି ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ସେହିପରି ରାଜ୍ୟରେ କରୋନା ମୁକାବିଲା ଲାଗି ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସାଙ୍ଗକୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ଏବଂ ଅମ୍ଳଯାନ ଯୋଗାଣ ବୃଦ୍ଧି ଲାଗି ମଧ୍ୟ ମମତା ଦାବି କରିଛନ୍ତି ।
ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁ ଜିନିଷ ଉପରେ ଅଧିକ ଜିଏସଟି ଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଜିଏସଟି ଛାଡ କରିବାକୁ ଅନୁରୋଧ କରିଛନ୍ତି । ଏହି ସମସ୍ତ ଟିକସ କେନ୍ଦ୍ରର ଅଧୀନରେ ଆସେ, ତେଣୁ ମୁଁ ଅନୁରୋଧ କରିବି ଯେ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରନ୍ତୁ । ଏହା ଦ୍ୱାରା ବ୍ୟକ୍ତିଗତ ସହାୟତାକୁ ଉତ୍ସାହିତ କରାଯାଇପାରିବ ଏବଂ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବେ। ଏଭଳି ହେବା ଦ୍ୱାରା ରାଜ୍ୟ ସରକାରଙ୍କ ଚାହିଦା ଏବଂ ଚିକିତ୍ସା ସମ୍ବଳର ବିପୁଳ ବ୍ୟବଧାନକୁ ସହଜରେ ପୂରଣ କରାଯାଇପାରିବ।