ଟି-୨୦ ବିଶ୍ଵ କପ୍ ପୂର୍ବରୁ ହୋଇପାରେ ଆଇପିଏଲ୍-୨୦୨୧ର ଅବଶିଷ୍ଟ ମ୍ୟାଚ୍!
ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ର ଆୟୋଜନ ଟି-୨୦ ବିଶ୍ଵ କପ୍ ପୂର୍ବରୁ ହୋଇପାରେ। ଲିଗ୍ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ କରାଯାଇପାରେ। ଆଇପିଏଲ୍ ୨୦୨୧ରେ ଅନେକ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍ର ୧୪ଶ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। ଏହି ସମୟରେ ସମସ୍ତ ବିଦେଶୀ ଖେଳାଳି ଭାରତରେ ଥିବେ। ଯଦି ସେପ୍ଟେମ୍ବରରେ ବିସିସିଆଇକୁ ଓ୍ଵିଣ୍ଡୋ ମିଳେ ତେବେ ଆଇପିଏଲ ଆୟୋଜନ ସମ୍ଭବ ହୋଇ ପାରିବ।
ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ସେପ୍ଟେମ୍ବରରେ ଭାରତରେ କରୋନା ଭାଇରସ୍ ସ୍ଥିତି ନିୟନ୍ତ୍ରଣ ଥାଏ ତେବେ ଲିଗ୍ର ଆୟୋଜନ ହୋଇପାରେ। ଉଲ୍ଲେଖନୀୟ ଭାରତରେ ଗତ ଚାରି ଦିନ ହେବ ପ୍ରତିଦିନ ଚାରି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ କରୋନା ସ୍ଥିତି ଅନିୟନ୍ତ୍ରିତ ରହିଛି। ବିସିସିଆଇ ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ମାସରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ଆମକୁ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ ପାଇଁ ପରିସ୍ଥିତି ଅନୁକୂଳ ରହିବ। କାରଣ ସେହି ସମୟରେ ଟି-୨୦ ବିଶ୍ଵ କପ୍ ପାଇଁ ବିଦେଶୀ ଖେଳାଳି ଭାରତରେ ଥିବେ। ତେଣୁ ବିଶ୍ଵ କପ୍ ପୂର୍ବରୁ ଆମେ ଖାଲି ଓ୍ଵିଣ୍ଡୋ ଉପରେ ବିଚାର କରିବୁ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ବାସ୍ତବରେ ବିଶ୍ଵ କପ୍ ପୂର୍ବରୁ ଖେଳାଳି ଆଇପିଏଲ୍ ଖେଳି ଭଲ ପ୍ରସ୍ତୁତି କରି ପାରିବେ। ଏହା ମଧ୍ୟରେ ଖବର ଏହା ମଧ୍ୟ ରହିଛି, ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ସାଉଥମ୍ପଟମରେ ଜୁନ ୧୮ରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପାଇଁ ଇଂଲଣ୍ଡ ଗସ୍ତ କରି ପାରନ୍ତି। ଏହି ସମୟରେ ଉଭୟ ଅଧିକାରୀ ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ସହ ଆଇପିଏଲ୍ର ବଳକା ୩୧ ମ୍ୟାଚ୍ ବ୍ରିଟେନ୍ରେ ଆୟୋଜିତ କରିବା ଏବଂ ଆଇସିସିର ନୀତିଗତ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପାରନ୍ତି