ଆଇସିସି ପକ୍ଷରୁ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତା ଜାରି : ଶୀର୍ଷ ୧୦ରେ ତିନି ଭାରତୀୟ
ନୂଆଦିଲ୍ଲୀ : ଆଇସିସି ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତା ଜାରି କରିଛି। ଶୀର୍ଷ ୧୦ରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ତିନି ଭାରତୀୟ ଅଛନ୍ତି। ଏଥିରେ ଋଷଭ ପନ୍ତ ଓ ରୋହିତ ଶର୍ମା ସାମିଲ। ଦୁଇ ବ୍ୟାଟସମ୍ୟାନ ମାନ୍ୟତାରେ ଗୋଟିଏ-ଗୋଟିଏ ସ୍ଥାନ ଉନ୍ନତି ଘଟାଇଛନ୍ତି। ପନ୍ତ ଟେଷ୍ଟ କ୍ୟାରିୟରରେ ନିଜର ସର୍ବଶ୍ରେଷ୍ଠ ସ୍ଥାନ ଷଷ୍ଠରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ତାଙ୍କର ଟେଷ୍ଟ ମାନ୍ୟତା ସପ୍ତମରେ ଥିଲା। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ କେବେ ବି ଟପ୍-୧୦ରେ ପ୍ରବେଶ କରିପାରିନଥିଲେ। ବିରାଟ କୋହଲି ଟେଷ୍ଟ ମାନ୍ୟତାରେ ପଞ୍ଚମରେ ଅଛନ୍ତି।
ପାକିସ୍ତାନର ଅଧିନାୟକ ବାବର ଆଜମ ତିନୋଟି ସ୍ଥାନ ଖସି ନବମରେ ପହଞ୍ଚିଛନ୍ତି। ଏହାର ଫାଇଦା ଋଷଭ ପନ୍ତ ଓ ରୋହିତ ଶର୍ମାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ହେନରି ନିକୋଲାସଙ୍କୁ ମିଳିଛି। ତିନି ଜଣ ୭୪୭ ଅଙ୍କ ସହିତ ମିଳିତ ଭାବେ ଷଷ୍ଠ ସ୍ଥାନରେ ଅଛନ୍ତି। ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟରେ ୨୮୦ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ। ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ପ୍ରଥମ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ, ମାର୍ନସ ଲାବୁସନେ ତୃତୀୟ ଏବଂ ଇଂଲଣ୍ଡର ଜୋ ରୁଟ୍ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତୀୟ ଦଳର ନିର୍ଭରଯୋଗ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେତେଶ୍ଵ ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ଗୋଟିଏ ଲେଖାଏଁ ସ୍ଥାନ କ୍ଷତି ହୋଇଛି। ପୂଜାରା ୧୪ତମ ଏବଂ ରାହାଣେ ୧୫ତମ ସ୍ଥାନକୁ ଖସିଛନ୍ତି। ଏହି ପାଞ୍ଚ ଖେଳାଳିଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ଖେଳାଳି ଶୀର୍ଷ ୨୦ରେ ନାହାନ୍ତି। ଶ୍ରୀଲଙ୍କା କ୍ରିକେଟ୍ ଦଳର ଦିମୁଥ କରୁଣାରତ୍ନେଙ୍କୁ ୪ ସ୍ଥାନ ଉନ୍ନତି ଘଟି ସେ ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ଗତ ୪ ଟେଷ୍ଟରେ ୫୧୯ ରନ କରିଛନ୍ତି। ଏଥିରେ ଗୋଟିଏ ଦ୍ଵିଶତକ ଓ ଏକ ଶତକ ସାମିଲ। ସେହିପରି ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ କେବଳ ରବିଚନ୍ଦ୍ରନ ଅଶ୍ଵିନ ଅଛନ୍ତି। ଅଶ୍ଵିନ ପୂର୍ବବତ୍ତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସ ଶୀର୍ଷରେ ରହିଛନ୍ତି।