ବାଲେଶ୍ୱରରେ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ କୃଷି ବିଭାଗରୁ ଅବସର ନେଇଥିବା ବହୁ କୃଷି ବିଭାଗର ଅଧିକାରୀ, ଚାଷୀ ଓ ଜିଲାର ବୁଦ୍ଧିଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଡେପୁଟି କଲେକ୍ଟର ଶରତ ଚନ୍ଦ୍ର ଗିରିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଡେପୁଟି କଲେକ୍ଟର ଶ୍ରୀ ଗିରି ସ୍ମାରକପତ୍ର ଗ୍ରହଣ କରି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ସ୍ୱାକ୍ଷରକାରୀମାନଙ୍କୁ ଜଣାଇଥିଲେ ।
ସ୍ୱାଧୀନତା ପରେ ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବାର ଆବଶ୍ୟକତା ଥିବାବେଳେ ସରକାରଙ୍କର ତତ୍ପ୍ରତି ଉଦାସୀନତା ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶରେ ୨୫, ପଶ୍ଚିମବଙ୍ଗରେ ୧୯, ମଧ୍ୟପ୍ରଦେଶରେ ୧୪, ଆନ୍ଧ୍ରପ୍ରଦେଶରେ ୨୦, ଦିଲ୍ଲୀ ୪୧, ଗୁଜରାଟ ୨୯, ମହାରାଷ୍ଟ୍ରରେ ୨୫, ପଞ୍ଜାବ ୧୦, ତାମିଲନାଡ଼ୁ ୧୪, କେରଳ ୯, ହରିଆନା ୧୦, କର୍ଣ୍ଣାଟକ ୯, ଅରୁଣାଞ୍ଚଳପ୍ରଦେଶ ୬ ବେଳେ ଓଡ଼ିଶାରେ ମାତ୍ର ୩ଟି କୃଷି ମହାବିଦ୍ୟାଳୟ ରହିଛି ।ଭିତ୍ତିଭୂମି ଦୃଷ୍ଟିରୁ ଓଡ଼ିଶା ୧ନମ୍ବର ରହିବା କଥା । ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁ ସରକାର ପ୍ରତିଷ୍ଠାନ ରହିଥିବାବେଳେ ଉତ୍ତର ପାଶ୍ୱର୍ ଅର୍ଥାତ୍ ବାଲେଶ୍ୱରରେ ଅବିଳମ୍ବେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରି କୃଷି ଉପରେ ନିର୍ଭର କରୁଥିବା ୮୦ ଭାଗ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଯଥାର୍ଥ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ଏଥିପାଇଁ ସରକାରଙ୍କ ଉଦାସୀନତାକୁ ନେଇ ସ୍ୱାକ୍ଷରକାରୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ଡ. କେଶବ ଚରଣ ପଣ୍ଡା, ହରିନାରାୟଣ ମଣ୍ଡଳ, ସୁଧିର କୁମାର ପ୍ରଧାନ, ଚୌଧୁରୀ ଅଭୟ ଚନ୍ଦ୍ର ମିଶ୍ର, ଅନନ୍ତ କୁମାର ପଟ୍ଟନାୟକ, ସୁବୋଧ କୁମାର ପାତ୍ର, ଚୌଧୁରୀ ସ୍ୱରୂପ କୁମାର ମହାପାତ୍ର, ଅଜୟ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ଭୋଳ, ନିରଞ୍ଜନ ପରିଡ଼ା, ମୃତ୍ୟୁଞ୍ଜୟ ମହାପାତ୍ର, କିଶୋର ଗିରି ଓ ରବୀନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।