ଶ୍ମଶାନ ଉବାଚ
ଗାଁର ପରିଚୟ ହେଉଛି ଶ୍ମଶାନ । ସେହିପରି ମନ୍ଦିର ଓ ଅନେକ କିଛି । ସେହି ପରିଚୟ ନେଇ ମୁଁ ବଞ୍ଚିଥିଲି । ବଞ୍ଚିଅଛି ଓ ଆଗକୁ ବଞ୍ଚିଥିବି । ମୋ କୋଳରେ କେତେଯେ ଦୁଃଖକ୍ରନ୍ଦନ, ଶୃଗାଳମାନଙ୍କର ବୁକୁଫୁଟା ରଡ଼ି ଅଙ୍ଗେ ନିଭାଇଛି ତାହାର କଳନା ନାହିଁ । ସବୁ ଦୁଃଖକୁ ଅକୁହା ଅଦେଖା ହୃଦୟରେ ଆଦରି ନେଇ ମୁଁ ହେଇଗଲି ଶ୍ମଶାନ । ତଥାପି ମୋ ମନରେ ତିଳେମାତ୍ର ଦୁଃଖ ନାହିଁ । କାରଣ ଗର୍ବ ଓ ଅହଙ୍କାରକୁ ଜାଳିପୋଡ଼ି ଛାରଖାର କରୁଥିବା ଓ ତ୍ରିବାର ସତ୍ୟ ମୃତ୍ୟୁକୁ ପାଥେୟ ହେଉଥିବାରୁ ମୁଁ ସେଥିପାଇଁ ଗର୍ବିତ ଓ ପରିଚିତ । ମୁଁ ଲୋକଙ୍କ ଜୀବନର ଶେଷ ଠିକଣା ହୋଇଥିବାରୁ ମୋର ପ୍ରକୃତ ଠିକଣା ଅନାବଶ୍ୟକ । ଠିକଣା ବିହୀନ ପରିଚୟ ହୋଇଥିବାରୁ ମୁଁ ସମସ୍ତଙ୍କ ପାଇଁ ଆଜି ଅଲୋଡ଼ା । ଅବିଶ୍ରାନ୍ତ ମୋ ଜୀବନର ଚଲାପଥରେ ଯେ ଭଟ୍ଟା ଆସିବ ଏକଥା ମୁଁ କେବେ ଭାବିନଥିଲି । ପରିଚୟ ବିହୀନ ପରିଚୟଟି ଆଜି ସମସ୍ତଙ୍କ ପାଇଁ ଅଲୋଡ଼ା । କିନ୍ତୁ ସମୟ ଥିଲା ପ୍ରତ୍ୟେକ ଗାଁର ଶେଷ ପ୍ରାଙ୍ଗଣ ମୋର ପରିଚୟ । ଆବାଳ ବୃଦ୍ଧ ବନିତାଙ୍କ ପାଇଁ ମୋର ପରିଚୟ ଅନାବଶ୍ୟକ ।
କିନ୍ତୁ ଆଜିର ଯୁଗରେ ମୋର ପରିଚୟ ପଛରେ ପରିଚୟ ପତ୍ର ଲୋଡ଼ା । ମୋର ପ୍ରାଙ୍ଗଣରେ କେଉଁ ଦିନରୁ ଆକାଶକୁ ମୁଣ୍ଡ ଟେକି ଛିଡ଼ା ହୋଇଥିବା କେତେକ ତାଳ ଗଛ ମୋର ମୁକ ସାକ୍ଷୀ । ଏହି ତାଳ ଗଛ ମଧ୍ୟରୁ କେତେକ ତାଳଗଛ ବଜ୍ରପାତରେ ମୃତ୍ୟୁବରଣ କରିଥିଲେ ମଧ୍ୟ ପତ୍ରବିହୀନ ଥୁଣ୍ଟା ତାଳଗଛ ଗୁଡ଼ିକ ମୃତ୍ୟୁର କରାଳ ଗର୍ଭରେ ମୂକସାକ୍ଷୀ ହୋଇ ଛିଡ଼ା ହୋଇଛି । ଆଉ ମୋ ପରିଚୟର ପୂର୍ବପଟରେ ବୟସାଧିକ୍ୟ ମୋର କେତେଜଣ ଗ୍ରାମବାସୀ ଲଗାଇଥିବା ବର-ଅସ୍ତ ବୃକ୍ଷ ମୋତେ ଆହୁରି ଅଧିକ ପରିଚୟ ଦେଇଛି । ସେହି ପରିଚୟ ବରଅସ୍ତ ଗଛଗୁଡିକ ବୃକ୍ଷର ତଳେ କେତେଯେ ଗୋରୁଗାଇ ଓ ବାଟୋଇଙ୍କୁ ଆଶ୍ରୟ ଦେଇଛି ତାହାର କଳନା ନାହିଁ । କିନ୍ତୁ ଆଜି ମୁଁ ବାର୍ଦ୍ଧକ୍ୟର କଷାଘାତରେ କବଳିତ ହୋଇଥିବାରୁ ମୁଁ ଆଜି ଥୁଣ୍ଟା ବରଗଛ ହୋଇ ଅତୀତର ସ୍ମୃତିକୁ ସାହା ଦେବା ଛଡ଼ା ମୋ ପାଖରେ ଆଉ କିଛି ନାହିଁ । ମୋ ପାଖରେ ଥିବା ପଡ଼ିଆର ଅପରାହ୍ନରେ କୃଶୋଦର, ଲମ୍ବୋଦର ଅବାଞ୍ଛିତ ଓ ଅବହେଳିତ ପିଲାମାନଙ୍କର ସମାବେଶ ହୋଇଥିବା ବେଳେ ସନ୍ଧ୍ୟାର ଆଗମନରେ ଭୟଭୀତ ହୋଇ ସେମାନେ ବିଦାୟ ନେଇଯାଆନ୍ତି । ଗ୍ରାମର ଅଧିବାସୀ ଦିନେ ତା ଦିନେ ସମସ୍ତେ ଶେଷ ନିଶ୍ୱାସର ପ୍ରତୀକ ହିସାବରେ ମୋ କୂଳକୁ ଆସିଲା ବେଳେ ମୁଁ ସେମାନଙ୍କୁ ମୋ କୋଳରେ ଶେଷ ଆଶ୍ରୟଟିଏ ଦେଇଥାଏ । ମୋ ପାଖରେ ଧନୀ, ଦରିଦ୍ର, ଜାତି, ଅଜାତିର ଭେଦଭାବ ନଥାଏ । ସମସ୍ତଙ୍କୁ ମୁଁ ଆପଣାର ଭାବି ମୋ ହୃଦୟରେ ସ୍ଥାନ ଦେଇଥାଏ । ଏହାଛଡ଼ା ମୋହରି ପାଶ୍ୱର୍ରେ ଥିବା ସେହି କେତୋଟି ସମାଧି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ମଶାନର ପରିଚୟ ବହନ କରୁଅଛି । ବହୁ ପୁରାତନ କାଳରୁ ଥିବା ଅମୁହା ପୋଖରୀଟି ଆଜି ଅବହେଳିତ । ମୃତ୍ୟୁର କରାଳ ରୂପ ‘ହରେ କୃଷ୍ଣ ହରେ ରାମ’ର ସଙ୍କୀର୍ତ୍ତନ ଓ ଖଇକଉଡ଼ିର ଶଯ୍ୟା ଏବଂ ଛ’କାଠିଆ ଭିତରେ ସମ୍ପର୍କୀୟମାନଙ୍କର ବିଦାୟୀ କ୍ରନ୍ଦନକୁ ମୁଁ ଯେ କେତେ ଛାତି ପାତି ସହିଯାଇଛି, ତାହା କେବଳ ନୀଳ ଆକାଶରେ ଥିବା ସୂର୍ଯ୍ୟ ଏବଂ ତାରା ଦେବତାଙ୍କୁ ଜଣା । ସେହିପରି ସମ୍ପର୍କୀୟମାନଙ୍କର କ୍ରନ୍ଦନ ମଧ୍ୟରେ ତାଳ ଗଛରେ ଥିବା ପେଚାର ରାବ ଏବଂ ଶାଗୁଣା, ଶ୍ୱାନ ଓ ଶୃଗାଳର ରଡ଼ି ଆହୁରି ମୋ ଚତୁଃପାଶ୍ୱର୍କୁ ନିଷ୍ପ୍ରଭ କରିଦେଇଛି ।
କିନ୍ତୁ ଆଜି ମୁଁ ସମସ୍ତଙ୍କ ପାଇଁ ଅଲୋଡ଼ା ଓ ଅନାବଶ୍ୟକ । କେଉଁ କାଳରୁ ବାପା ଓ ଜେଜେବାପାଙ୍କର ସ୍ମୃତି ବହନ କରୁଥିଲେ ମଧ୍ୟ ଆଜି ମୁଁ ସମସ୍ତଙ୍କ ପାଇଁ ଅପରିଚିତ । ଆଜି ଏହି ଶ୍ମଶାନ ହୋଇ ରହିନାହିଁ । ମୋର ଚତୁଃପାଶ୍ୱର୍ରୁ ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ଆଜି ଖଣ୍ଡବିଖଣ୍ଡିତ ହେବାରେ ଲାଗିଛି । ଗାଁର ଜନସଂଖ୍ୟା ବୃଦ୍ଧି ମୋର ଶରୀରକୁ ଖଣ୍ଡବିଖଣ୍ଡିତ କରିଦେଇଛି । ମୋର କିଛି ପାଶ୍ୱର୍ ଚାଷଜମିରେ ପରିଣତ ହୋଇଥିବା ବେଳେ କେହି କେହି ମୋତେ ବ୍ୟବହାର ଉପଯୋଗୀ କରିନେଇଛନ୍ତି । ଆଧୁନିକ ଚାକଚକ୍ୟ ସମାଜ ଆଜି ସହରାଭିମୁଖୀ ପାଇଁ ମୋତେ ପର କରିଦେଇଛି । ମୋ ଗାଁରେ ଜନ୍ମିତ ବ୍ୟକ୍ତିଟି ମୋହରି କୋଳରେ ଶେଷ ନିଦ୍ରା ଯାଉଥିବା ବେଳେ ତାହା ଆଜି ବ୍ୟତିକ୍ରମ ହୋଇଛି । କୂଳଭୁଆଶୁଣି ନାଲି ଟୁକୁଟୁକୁ ଅଳତା ଲାଗିଥିବା ଖିଲିଖିଲି ପାଦ ଓ ମୁଣ୍ଡରେ ଓଢ଼ଣା ଟାଣି ଗାଁକୁ ଆସିବା ବେଳେ ମୋହରି କୋଳରେ ଗୁଆ ଦେଇ ପ୍ରଣିପାତ ଭରା ମନରେ ପ୍ରବେଶ କରିଥାଏ । ମାତ୍ର ଆଜି ତାହା ବାସ୍ତବରେ ସ୍ମୃତି ହୋଇଯାଇଛି । ହିନ୍ଦୁ ସମାଜର ପର୍ବପର୍ବାଣୀରେ ମୋହରି ମୃତ୍ତିକା ଲାଗୁଥିଲା ବେଳେ ଆଜି ତାହା ଅଲୋଡ଼ା ହୋଇଯାଇଛି । ମୋର ପାଶ୍ୱର୍ରେ ଥିବା ପୁଷ୍କରିଣୀରେ ମୃତ୍ୟୁର ଦଶାହ କର୍ମ ସମ୍ପାଦନ ବେଳେ ୧୦ଦିନ କାଳ ଲୋକଙ୍କର ସମାବେଶ ଆଜି ଶୂନ୍ୟସ୍ଥାନ ସୃଷ୍ଟି କରୁଛି । ଆଜି ସେଠାରେ ଥିବା କିଆବୁଦା ନାହିଁ କି କିଆବୁଦାରୁ ଶୃଗାଳମାନଙ୍କର କ୍ରନ୍ଦନ ଶୁଣାଯାଉ ନାହିଁ । ଏହିପରି ପ୍ରତ୍ୟେକ କ୍ଷେତ୍ରରେ ମୁଁ ପ୍ରହସନରେ ପରିଣତ ହେଉଅଛି । ଆଜି ମୋ ଗାଁରେ ଥିବା ଅନେକ ବ୍ୟକ୍ତି ସହରରେ ପ୍ରତିଷ୍ଠିତ । ବଡ଼ ବଡ଼ ସହରରେ ରହି ସେହିଠାରେ ମୃତ୍ୟୁବରଣ କରୁଥିବା ବେଳେ ମୋ କୂଳକୁ ନଫେରି ସେଠାରେ ଥିବା ବିଦ୍ୟୁତ୍ ଚୁଲା ଓ ଅନ୍ୟାନ୍ୟ କ୍ଷେତ୍ରରେ ଶବଦାହ କରାଯାଉଛି । ଆଗରୁ ଯେକୌଣସି ବ୍ୟକ୍ତି ଯେଉଁଠି ଥାଉ ନା କାହିଁକି ମୃତ୍ୟୁର ଶେଷ ନିଦ୍ରା ମୋହରି କୋଳରେ ନେଉଥିଲା । ଆଶ୍ଚର୍ଯ୍ୟର କଥା ମୁଁ ସମସ୍ତଙ୍କର ଶେଷ ଠିକଣା ହୋଇଥିବା ବେଳେ ଆଜି ମୋର ଠିକଣା ବାଟବଣା ହୋଇଯାଇଛି । ପ୍ରତ୍ୟେକ ଗ୍ରାମବାସୀର ଶେଷ ଠିକଣା ପାଇଁ ମୁଁ ଗର୍ବିତ ଓ ଅପେକ୍ଷାରେ ଥିଲା ବେଳେ ଆଜି ମୋ ଠାରୁ ସେମାନେ ଦୂରେଇ ଯାଉଛନ୍ତି । ମୁଁ ମୋର କୋଳରେ ସମସ୍ତ ସମ୍ପର୍କୀୟମାନଙ୍କର କ୍ରନ୍ଦନକୁ ଧାରଣ କରୁଥିବା ବେଳେ ମୁଁ ଆଜି ଗୁମୁରି, ଗୁମୁରି କାନ୍ଦୁଛି । ଆଜି ଉଣା ଅଧିକେ ମୃତ୍ୟୁର ଶେଷ ଚିତାଗ୍ନି ପୁରୀର ଜଗନ୍ନାଥ ଧାମରେ ହେଉଥିବା ବେଳେ ଆଜି ମୋ କୋଳ ଖାଁ ଖାଁ ଲାଗୁଛି ।
ଆଜି ସନ୍ଧ୍ୟାର ଆଗମନରେ ଜହ୍ନର କାଣିଚାଏ ଆଲୋକର ହସ ମୋ ଶରୀରକୁ କେବଳ ବିମଣ୍ଡିତ କରୁଛି । ଅମାବାସ୍ୟାରେ ପେଚାର ରାବ ଏବଂ ଶ୍ୱାନ ଓ ଶୃଗାଳର ବୀଭତ୍ସ କ୍ରନ୍ଦନ ଶୁଣାଯାଉ ନାହିଁ । କେଉଁଠି କେଉଁଠି ମୋ ହୃଦୟରେ ବିରାଟ ବିରାଟ କଳକାରଖାନା ଓ ରାସ୍ତାଘାଟ ମୋ ଶରୀରକୁ ବିଦୀର୍ଣ୍ଣ କରିଦେଇଛି । ଯୁଗଯୁଗ ଧରି ସମସ୍ତ ଶେଷ ଯାତ୍ରାର କ୍ରନ୍ଦନକୁ ମୋ ଶରୀର ଧାରଣ କରୁଥିବା ବେଳେ ଆଜି ମୁଁ ନିଜେ କାନ୍ଦୁଛି । ଆଈମା’ କାହାଣୀରେ ଭୂତପ୍ରେତକୁ ନେଇ ମୋ ସ୍ଥିତି ଆଉ ଶୁଣା ଯାଉ ନାହିଁ । ମୃତ୍ୟୁର ସୌଦାଗର ସାଜିଥିବା ମୋର ଆତ୍ମା ଆଜି ମୃତ୍ୟୁର ଦ୍ୱାରରେ । ଆଉ କିଛିଦିନ ପରେ ମୋର ଅସ୍ତିତ୍ୱ ଲୋପ ପାଇଯିବା ବେଳେ ମୁଁ କେବଳ କିମ୍ବଦନ୍ତୀ ହୋଇ ରହିଯିବି । ତଥାପି ମୁଁ ବଞ୍ôଚଛି, ବଞ୍ôଚବି ଓ ମଣିଷର ସ୍ୱର୍ଗପ୍ରାପ୍ତି ପାଇଁ ମୁଁ ହିଁ ଶେଷ ସାଥି ହୋଇ ଜୁଇର ଆଲୋକରେ ତାର ଆତ୍ମାକୁ ଆଲୋକିତ କରିବି ଓ ଆତ୍ମାର ସଦ୍ଗତି ପାଇଁ ପାଥେୟ ହେବି ।
ସହକାରୀ ଶିକ୍ଷକ, ଚିନ୍ତାମଣି ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର, ୯୪୩୮୭୫୭୬୮୧
Really it touch my heart