‘କୋଭାକ୍ସିନ’ର ବଜାର ଦର ନିର୍ଦ୍ଧାରଣ
- ରାଜ୍ୟକୁ ୬୦୦, ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କା
ହାଇଦ୍ରାବାଦ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ବଜାର ଦର ନିର୍ଦ୍ଧାରଣ କରିଛି। ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ପ୍ରତି ପାନ (ଡୋଜ୍) ପିଛା ୬୦୦ ଟଙ୍କା ରହିବ। ତେବେ ଘରୋଇ ଡାକ୍ତରଖାନା ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନୀ କରାଯିବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ ଇସ୍ତାହାରରେ କୁହାଯାଇଛି।
କେନ୍ଦ୍ର ସରକାର ଏବେ ରାଜ୍ୟ ସରକାର, ଘରୋଇ ଡାକ୍ତରଖାନା ଓ ବିଦେଶକୁ ଟିକା ରପ୍ତାନୀ କରିବା ଲାଗି ନିଷ୍ପତ୍ତି କରିବା ପରେ ପ୍ରଥମେ କୋଭିସିଲ୍ଡ ଓ ଏବେ କୋଭାକ୍ସିନ୍ ଟିକା ଲାଗି କମ୍ପାନୀ ପକ୍ଷରୁ ଦର ଧାର୍ଯ୍ୟ କରାଯାଇ ତାଲିକା ପ୍ରକାଶ ପାଇଛି। ସୂଚନା ଯେ, କେନ୍ଦ୍ର ସରକାର ଏହି ଟିକାକୁ ମାଗଣାରେ ଆବଣ୍ଟିତ କରୁଥିବାରୁ ଭାରତ ବାଓଟେକ୍ ପକ୍ଷରୁ ଏହାକୁ ୧୫୦ ଟଙ୍କା ପ୍ରତି ପାନ (ଡୋଜ୍) କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି। ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ଟିକା କେନ୍ଦ୍ର ସରକାରଙ୍କ ଲାଗି ସଂରକ୍ଷିତ ରଖାଯାଉଥିବା ଭାରତ ବାଓଟେକ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡାକ୍ତର କ୍ରିଷ୍ଣା ଏମ. ଇଲା ସୂଚନା ଦେଇଛନ୍ତି।