ପଲସ ପୋଲିଓ ଏବଂ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ
ଜାନୁଆରୀ ୨୩, ୨୪ ଓ ୨୫ରେ ପଲସ ପୋଲିଓ ଅଭିଯାନ
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ପଲସ୍ ପୋଲିଓ ଏବଂ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଲସ ପୋଲିଓ ଏବଂ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏସଏମଓ ଡା. ଅର୍ଚ୍ଚନା ଗାଏନ, ଏଡ଼ିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁରୀ ପ୍ରମୁଖ ଏଥିରେ ଉପସ୍ଥିତ ଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ସମ୍ମିଳନୀ କକ୍ଷରେ ଉପସ୍ଥିତ ଅଧିକାରୀମାନେ ଏଥିରେ ଆଭାସୀ(ଭର୍ଚୁଆଲ)ରେ ଯୋଗ ଦେଇଥିଲେ । ଆସନ୍ତା ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଅଭିଯାନକୁ ସଫଳ କରିବା ଏବଂ ଟିକାକରଣରୁ କୌଣସି ଶିଶୁ ଯେପରି ବାଦ୍ ନ ପଡ଼ନ୍ତି ସେଥିଲାଗି ପଦକ୍ଷେପ ନେବାକୁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ଏଥିଲାଗି ଯଥେଷ୍ଟ ସଂଖ୍ୟାରେ ଗାଡ଼ି ତଥା ବୁଥ ମାନଙ୍କରେ କର୍ମଚାରୀ ଏବଂ ସୁପରଭାଇଜର ନିୟୋଜିତ କରିବା, ସବୁ ବୁଥ୍ଗୁଡ଼ିକରେ ଯଥେଷ୍ଟ ସଂଖ୍ୟାରେ ଟିକା ମହଜୁଦ କରି ରଖିବା, ମୋବାଇଲ ଟିମ୍ ଗଠନ କରିବା ଏବଂ ବୁଥ୍ ଗୁଡ଼ିକରେ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ନଜର ରଖିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।
ଜିଲାର ସମସ୍ତ ବ୍ଲକର ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ(୦ରୁ ୫ର୍ଷ) ପୋଲିଓ ବୁନ୍ଦା ଖୁଆଇବା ପାଇଁ ଏଥର ଲକ୍ଷ୍ୟ ରଖାଯାଇଛି । ଜାନୁଆରୀ ୨୩ ତାରିଖ ଦିନ ବୁଥସ୍ତରରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାକୁ ଥିବା ବେଳେ ୨୪ ଓ ୨୫ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପାଇ ନ ଥିବା ଶିଶୁମାନଙ୍କୁ ଏହା ଖୁଆଇବେ । ଜିଲାର ବିଭିନ୍ନ ଅଞ୍ଚଳରେ ୧୦୬୩ଟି ବୁଥ୍ସ୍ଥାପନ ସହିତ ୪୨୫୨ଜଣ ସ୍ୱାସ୍ଥ୍ୟକର୍ମୀ (ଏଏନଏମ, ଅଙ୍ଗନୱାଡ଼ି ଓ ଆଶାକର୍ମୀ) ଏବଂ ୨୦୯ଜଣ ସୁପରଭାଇଜରଙ୍କୁ ଏଥିରେ ନିୟୋଜିତ କରାଯାଇଛି । ପଲସ ପୋଲିଓ ଅଭିଯାନରେ ନିୟୋଜିତ ହେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ କୋଭିଡ୍-୧୯ବୁଷ୍ଟର ଡୋଜ୍ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । କୌଣସି ଆଶଙ୍କା ନ ରଖି ପିତାମାତା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ଜିଲାରେ କୋଭିଡ୍-୧୯ ଟିକାକରଣ ସ୍ଥିତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଜିଲାର ଖଇରା, ସିମୁଳିଆ, ବସ୍ତା, ବାଲିଆପାଳ ଓ ନୀଳଗିରି ବ୍ଲକରେ ତୁଳନାତ୍ମକ ଭାବେ ଟିକାକରଣ ହାର କମ ଥିବାରୁ ଜିଲାପାଳ ଏହାକୁ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକସ୍ଥଳେ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆୟୋଜନ ସହ ଘରକୁ ଘର ଯାଇ କୋଭିଡ୍ ଟିକାକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ କହିଥିଲେ । ଉଚ୍ଚ ବିପଦ ଅଞ୍ଚଳ (ହାଇ ରିସ୍କ ଏରିଆ) ଏବଂ ପହଞ୍ôଚବାକୁ କଷ୍ଟ ଅଞ୍ଚଳ (ହାର୍ଡ଼ ଟୁ ରିଚ୍ ଏରିଆ) ପାଇଁ ସ୍ୱତନ୍ତ୍ର ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରି ଟିକାକରଣକୁ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଡିପିଏମ୍ ଅନୀଲ ମହାନ୍ତି, ଡିଏମଆରସିଏଚ୍ ଏଲିନା ସାମଲ, ଜିଲା ଡାଟା ମ୍ୟାନେଜର ହରେକୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।