ଫକୀରମୋହନଙ୍କ ଜୟନ୍ତୀ ଓ ପରିଷଦର ୭୫ତମ ବାର୍ଷିକ ଉତ୍ସବ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଶାନ୍ତିକାନନ ଠାରେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ଫକୀରମୋହନ ସାହିତ୍ୟ ପରିଷଦର ୭୫ତମ ବାର୍ଷିକ ଉତ୍ସବ (ରତ୍ନୋତ୍ସବ) ଉଦ୍ଘାଟିତ ହୋଇଯାଇଛି । କୋଭିଡ କଟକଣା ମାନି ପାଞ୍ଚଦିନିଆ କାର୍ଯ୍ୟକ୍ରମର ଏହି ପ୍ରଥମ ଦିବସରେ ଆୟୋଜିତ ସଭାରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରି ଫକୀରମୋହନ ପରିଣତ ବୟସରେ ନୁହେଁ, ବରଂ ଜୀବନର ଆଦ୍ୟକାଳରୁ ସାରସ୍ୱତ ସାଧନା କ୍ଷେତ୍ରରେ ପାଦ ଥାପିଥିଲେ ବୋଲି ସେ ମତପ୍ରକାଶ କରିଥିଲେ ।
ବର୍ଷିୟାନ ସମାଜସେବୀ ଧୀରେନ୍ଦ୍ର ନାରାୟଣ ଦାସ ପରିଷଦର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରି ସାହିତ୍ୟ ଓ ସମାଜ ମଧ୍ୟରେ ନିବିଡ଼ ସମ୍ପର୍କ ଚିରକାଳ ରହିଆସିଛି ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଭାବେ ବରିଷ୍ଠ ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଯୋଗଦେଇ ଫକୀରମୋହନଙ୍କ କାଳୋତ୍ତୀର୍ଣ୍ଣ ସାହିତ୍ୟ ସମକାଳୀନ କୌଣସି ଭାରତୀୟ ସାହିତ୍ୟ ସହ ତୁଳନୀୟ ନୁହେଁ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ସାରସ୍ୱତ ସାଧକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ କହିଥିଲେ ଯେ ଫକୀରମୋହନ ତାଙ୍କର ବିପୁଳ ଅନୁଭୂତି, ଅଭିଜ୍ଞତା, ଅନୁଧ୍ୟାନ ଓ ଅଧ୍ୟୟନ ଜରିଆରେ ଶିକ୍ଷା, ଗ୍ରାମୀଣ ଚେତନା ଓ ମୂଲ୍ୟବୋଧର ପ୍ରତିଷ୍ଠା କରିଛନ୍ତି । ଦେଶଜ ଭାଷାର ବହୁଳ ପ୍ରୟୋଗ ଯୋଗୁଁ ତାଙ୍କ ସାହିତ୍ୟ କାଳୋତ୍ତୀର୍ଣ୍ଣ ହୋଇପାରିଛି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭରତଚନ୍ଦ୍ର ଦାଶ ଓ ବରିଷ୍ଠ ଗବେଷକ ଡ. ଭାଗବତ ପ୍ରସାଦ ଦାସ ଫକୀରମୋହନଙ୍କ ଅନତିକ୍ରମଣୀୟ ବ୍ୟକ୍ତିତ୍ୱ ଓ ସାରସ୍ୱତ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ପରିଷଦର ସମ୍ପାଦକ ଦୀପକ ବୋଷ ପ୍ରାଗ୍ଭାଷ ରଖିଥିବାବେଳେ ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିଲେ । ଅଧ୍ୟାପକ ସୁକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
ଅପରାହ୍ନରେ ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ‘ଫକୀରମୋହନ ଓ ସାମ୍ପ୍ରତିକ ଗଳ୍ପ’ ଶୀର୍ଷକ ଆଲୋଚନା ସଭାରେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ସେନାପତି ପ୍ରଦ୍ୟୁମ୍ନ କେଶରୀ ଓ ଗଙ୍ଗାଧର ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଫକୀରମୋହନଙ୍କ କଥାସାହିତ୍ୟ ବିଭିନ୍ନ ଭାଷାରେ ଅନୁଦିତ ହୋଇ ଏବେ ବି ବିଶ୍ୱ ଦରବାରରେ ଚର୍ଚ୍ଚାର ପରିସରରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅଧିବେଶନରେ କୋଷାଧ୍ୟକ୍ଷ ତପନ ରାୟ ମଞ୍ଚ ଆବାହନ କରିଥିବାବେଳେ ଗାଳ୍ପିକା ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।