ସରିଲା ଗଣନା : ଚଳିତବର୍ଷ ବାଲେଶ୍ୱରକୁ ଆସିଛନ୍ତି ଅଧିକ ଦେଶୀ ଓ ବିଦେଶୀ ପକ୍ଷୀ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ସରିଲା ପକ୍ଷୀ ଗଣନା । ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ଜିଲାକୁ ଆଶା ଠାରୁ ଅଧିକ ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି । ଜିଲାର ବିଭିନ୍ନ ରେଞ୍ଜକୁ ମୋଟ୍ ୨୩ହଜାର ୧୨୦ ପକ୍ଷୀ ଆସିଛନ୍ତି । ଗତ ୫ ତାରିଖରେ ନୀଳଗିରି ରେଞ୍ଜର ପଦ୍ମତୋଳା ୱେଟ୍ ଲ୍ୟାଣ୍ଡ, କୁଲଡ଼ିହା ରେଞ୍ଜନର ବଗାଳି ବନ୍ଧ, ଋଷିଆ, ଖୁମକୁଟ୍ ଓ ସାତଘାଟି, ଚାନ୍ଦିପୁର ରେଞ୍ଜର ଆଇଟିଆର୍ କ୍ୟାମ୍ପସ୍, ବୁଢ଼ାବଳଙ୍ଗ ନଦୀ ମୁହାଣ, ବାହାବଳପୁର ନଦୀ ମୁହାଣ, କଣ୍ଟିଆଚିରା ନଦୀ ମୁହାଣ ଓ ରୂପଖଣ୍ଡ, ଜଳେଶ୍ୱର ରେଞ୍ଜର ତାଳସାରୀ, ମୁରଲିଚୁଡ଼ା, ସୁବର୍ଣ୍ଣରେଖା ନଦୀ ମୁହାଣ, ସୋର ରେଞ୍ଜର ସିନ୍ଧୁଆ ଓ ଶୋଳଭଉଣୀରେ ପକ୍ଷୀ ଗଣନା ବିଭାଗୀୟ ରେଞ୍ଜ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା ।
ରିପୋର୍ଟ ଅନୁସାରେ, ଜିଲାକୁ ୨୩ହଜାର ୧୨୦ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଛନ୍ତି । ଚାନ୍ଦିପୁର ରେଞ୍ଜକୁ ୧୫ହଜାର ୯୦୫, ନୀଳଗିରି ରେଞ୍ଜକୁ ୪୮୧, କୁଲଡ଼ିହା ରେଞ୍ଜକୁ ୪୩୬, ସୋର ରେଞ୍ଜକୁ ୪୮୧, ଜଳେଶ୍ୱର ରେଞ୍ଜକୁ ୫ହଜାର ୧୫୫ଟି ପକ୍ଷୀ ଆସିଛନ୍ତି । ପକ୍ଷୀ ସଂଖ୍ୟା ଭିତରୁ ୧୦୧ଟି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥିରୁ ଦେଶୀ ୬୨ଟି ପକ୍ଷୀ ଆସିଥିବା ବେଳେ ବିଦେଶୀ ପକ୍ଷୀ ୩୯ପ୍ରଜାତିର ଆସିଛନ୍ତି । ସବୁଠାରୁ ଅଧିକ ପକ୍ଷୀ ଚାନ୍ଦିପୁର ରେଞ୍ଜକୁ ଆସିଥିବା ଜଣାଯାଇଛି । ୨୦୨୧ ମସିହା ପକ୍ଷୀ ଗଣନାରେ ଜିଲାକୁ ୧୪ହଜାର ୧୫୫ ପକ୍ଷୀ ଆସିଥିବା ବେଳେ ଏଥିରୁ ୩୮ ବିଦେଶୀ ଓ ୬୨ ପ୍ରଜାତିର ବିଭିନ୍ନ ଦେଶୀ ପକ୍ଷୀ ଆସିଥିଲେ । ବାଲେଶ୍ୱରକୁ ଅନୁକୂଳ ସ୍ଥାନ ଭାବି ଏଥର ଆଶାଠୁ ଅଧିକ ପକ୍ଷୀ ଆସିଛନ୍ତି । ୨୦୨୧ରେ ଦେଶୀ ୱିଷ୍ଟଲିଙ୍ଗ ଡକ୍ ପକ୍ଷୀ ୫ହଜାର ୩୮୦ଟି ଆସିଥିବା ବେଳେ ଚଳିତବର୍ଷ ଏହା ବୃଦ୍ଧି ପାଇ ୧୩ହଜାର ୧୮୩ ଛୁଇଁଛି । ସେମିତି ବିଦେଶୀ ପକ୍ଷୀ ଗ୍ରେଟର ସାଣ୍ଡ ପ୍ଲୋଭର ଓ ଲେସର ସାଣ୍ଡ ପ୍ଲୋଭର ଗତବର୍ଷ ଦେଖିବାକୁ ମିଳିନଥିଲା । ଏଥର କିନ୍ତୁ ଗ୍ରେଟର ସାଣ୍ଡ ପ୍ଲୋଭର ୧୦୭୪ ଓ ଲେସର ସାଣ୍ଡ ପ୍ଲୋଭର ୭୧୫ଟି ଜିଲାକୁ ଆସିଛନ୍ତି । ସେହିପରି ବ୍ରାଉନ୍ ହେଡେଡ ଗଲ୍ ୧୧୪୮ଟି ବିଦେଶୀ ପକ୍ଷୀ ଆସିଛନ୍ତି । ବିରଳ ପକ୍ଷୀ କୁହାଯାଉଥିବା କ୍ରାବ୍ ପ୍ଲୋଭର ବହୁବର୍ଷ ବ୍ୟବଧାନ ପରେ ଏଥର ୧୧ଟି ବାଲେଶ୍ୱରକୁ ଆସିଛନ୍ତି । ସେହିପରି କମନ୍ ସେଲଡକ୍ ବିଦେଶୀ ପକ୍ଷୀ ୧୫୦ଟି ଆସିଛନ୍ତି । ଯାହା ରାଜ୍ୟର ସବୁଠାରୁ ଅଧିକ ବାଲେଶ୍ୱରରେ ଦେଖିବାକୁ ମିଳିଥିବାର ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।