ନୀଳଗିରିରେ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ
ପ୍ରତିକାର ନହେଲେ ନୀଳଗିରି ବନ୍ଦ ସହ ଆନ୍ଦୋଳନ ତୀବ୍ରତର ହେବ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ପ୍ରତିଦିନ ଶହଶହ ରୋଗୀ ଆସିଥାନ୍ତି । ତେବେ ଡାକ୍ତର ଓ କର୍ମଚାରୀ ଅଭାବରୁ ହସପିଟାଲରେ ରୋଗୀଙ୍କୁ ମିଳୁନି ମୌଳିକ ସୁବିଧା । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାବେଳେ ମେଡିକାଲ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି । ଡାକ୍ତରଖାନାରେ ୧୯ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୮ ଜଣ । ବିଭିନ୍ନ ବିଭାଗରେ ବିଶେଷଜ୍ଞ ଓ ଅନ୍ୟାନ୍ୟ ଡାକ୍ତର ପଦବୀ ଦୀର୍ଘଦିନ ଧରି ପୂରଣ ନହେବା, ନର୍ସିଂ ସିଷ୍ଟର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯିବା ଯୋଗୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁନାହିଁ । ଅଳ୍ପ ଗୁରୁତର ତଥା କୌଣସି ରୋଗୀ ଜୋର୍ରେ ଛିଙ୍କି ଦେଲେ ରୋଗୀ ମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଉଛି । ଏଭଳି ପରିସ୍ଥିତିରେ ରୋଗୀମାନେ ଏଠାକୁ କିଭଳି ଭରସା କରି ଆସିବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ନୀଳଗିରି ହସ୍ପିଟାଲ ଏକ ରେଫରାଲ (ସ୍ଥାନାନ୍ତର) ହସ୍ପିଟାଲ ଖ୍ୟାତିରୁ ଅବ୍ୟାହିତ ଦେବା ସହ ବିଭିନ୍ନ ଦାବି ପୂରଣ ପାଇଁ ନୀଳଗିରି ଉପଖଣ୍ଡ ରକ୍ତଦାତା ସଂଘ ଓ ଅନ୍ୟାନ୍ୟ ଗଣ ସଂଗଠନ ପକ୍ଷରୁ ଦୀର୍ଘ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ନିବେଦନ ଦାବି ପତ୍ର ପ୍ରଦାନ ପରେବି ଜିଲାପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା କରୋନା ସଂକ୍ରମଣ ସମୟରେ ରୋଗୀଙ୍କ ଜୀବନକୁ ଆଖି ଆଗରେ ରଖି ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗତବର୍ଷ ଜିଲାପାଳଙ୍କ ସହିତ ଆଲୋଚନା କରି ତାଙ୍କ ହାତ ପାଣ୍ଠିରୁ ହସ୍ପିଟାଲକୁ ଏକ ଆଇସିୟୁ ଭେଣ୍ଟିଲେଟର ୪୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରିଥିଲେ । ତାହା ଆଜି ପର୍ଯ୍ୟନ୍ତ ଜିଲାପ୍ରଶାସନ ପ୍ରାରମ୍ଭିକ କାର୍ଯ୍ୟବି ଆରମ୍ଭ କରିନାହାନ୍ତି । ଏହିଭଳି ବିଭିନ୍ନ ସମସ୍ୟାର ଅନ୍ୟ ଉପାୟ ନପାଇ ଗୁରୁବାର ପୂର୍ବାହ୍ନ ୧୦ ଟା ଠାରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା ହେଁ ସମ୍ପ୍ରତି ମହାମାରୀ କୋଭିଡ୍ କଟକଣା ଓ ଉପଖଣ୍ଡ ପ୍ରଶାସନର ଅନୁରୋଧକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ୧୫ ଦିନ ପାଇଁ ସ୍ଥଗିତ ରଖା ଯାଇଛି । ମାତ୍ର ସେହି ସମୟ ସୀମା ମଧ୍ୟରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ । ନୀଳଗିରି ବନ୍ଦ ଡାକରା ଦିଆଯିବା ସହିତ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ନୀଳଗିରି ଡାକ୍ତରଖାନା ସମ୍ମୁଖରେ ଅନଶନ ଓ ଗଣଧାରଣା ଚାଲୁ ରହିବ ବୋଲି ସଂଘର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ରକ୍ତଦାତା ସଂଘର ସଭାପତି ଗୋପାଳ ମହାପାତ୍ର, ସମ୍ପାଦକ ବିଜୟ ପାତ୍ର , ଉପଦେଷ୍ଟା ରବି ରାଉତ, ବରିଷ୍ଠ ସାମାଜିକ କର୍ମୀ ରାଜେନ୍ଦ୍ର ଜେନା ଓ ହେମେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।