ଭୁବନେଶ୍ୱର ମେୟର ପାଇଁ ମହିଳା ପଦବି ସଂରକ୍ଷିତ
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ଏଥି ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ମଧ୍ୟ ବିବାଦ ଦେଖା ଯାଇଥିଲା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ପୁନଃର୍ବାର ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ।
ସେହିଭଳି ଆଗକୁ ପୌର ନିର୍ବାଚନ ଥିବାରୁ ସଂରକ୍ଷଣା ତାଲିକା ପ୍ରକାଶ ପାଇ ପାରେ ବୋଲି ଆଲୋଚନା ହେଉଥିଲା ଏବଂ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ ପାଇଁ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ବର୍ତମାନ ଓଡ଼ିଶାର ତିନୋଟିି ମହାନଗର ନିଗମ ମେୟର ପଦବି ସଂରକ୍ଷଣ ସମ୍ବନ୍ଧରେ ବିଜ୍ଞପ୍ତ ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ । ଜାରି ଗାଇଡ୍ଲାଇନ୍ ମୁତାବକ ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମରେ ଜଣେ ମହିଳା ମେୟର ହେବେ । ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନରୁ କୌଣସି ମହିଳା ମେୟର ହୋଇ ନାହାନ୍ତି । ସେହିଭଳି ବ୍ରହ୍ମପୁର ମହାନଗର ନିଗମ ପାଇଁ ମଧ୍ୟ ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ କଟକ ମେୟର ପଦବି ଅଣସଂରକ୍ଷିତ ରହିଛି। ଜାରି ବିଜ୍ଞପ୍ତି ମୁତାବକ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆପତ୍ତି ଥିଲେ ୧୫ ଦିନ ମଧ୍ୟରେ ଜଣାଇବାକୁ ଗାଇଡ୍ଲାଇନ୍ରେ କୁହାଯାଇଛି।