ଆଜିଠୁ ଏମସରେ ଟେଲିମେଡିସିନ୍ ସେବା : ଓପିଡିକୁ ନଆସି ଅନଲାଇନରେ ସ୍ୱାସ୍ଥ୍ୟସେବା ନେବାକୁ ପରାମର୍ଶ
ଭୁବନେଶ୍ୱର : କୋଭିଡ୍ ମହାମାରୀ ସ୍ଥିତିରେ ହଠାତ୍ ଦ୍ରୁତ ବୃଦ୍ଧି ହେତୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୁଗମ ତଥା ନିରାପଦ ରୋଗୀ ସେବା ନିମନ୍ତେ କୋଭିଡ୍ ଉପଯୁକ୍ତ ଆଚରଣ ଏବଂ ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓପିଡି ଗୁଡ଼ିକରେ ରୋଗୀ ସଂଖ୍ୟା ହ୍ରାସ କରିବା ଏବଂ କରୋନା ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ସମସ୍ତ ବିଭାଗକୁ “ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ୍ (ହ୍ୱାଟ୍ସଆପ୍ କଲ୍) ସେବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ବ୍ୟବହୃତ ସମସ୍ତ ଟେଲିମେଡିସିନ୍ ନମ୍ବରଗୁଡ଼ିକ ଏବେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି । ତେଣୁ, ରୋଗୀମାନେ ଓପିଡ଼ିକୁ ଆସିବା ପରିବର୍ତେ ଏହି ସେବାଗୁଡିକ ମାଧ୍ୟମରେ ଅଧିକରୁ ଅଧିକ ସେବା ନେବାକୁ ଏମ୍ସ ଭୁବନେଶ୍ୱର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିଭଳି ଏମ୍ସ ଭୁବନେଶ୍ୱରରେ ନୂତନ ରୋଗୀ ପଞ୍ଜିକରଣ ସଂଖ୍ୟାକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଜେନେରାଲ୍ ମେଡିସିନ୍, ଅର୍ଥୋପେଡିକ୍ସ, ଡର୍ମାଟୋଲୋଜି, ଶିଶୁ (ପେଡିଆଟ୍ରିକ୍ସ), ଶଲ୍ୟ ଚିକିତ୍ସା(ଜେନେରାଲ୍ ସର୍ଜରୀ), ପଲ୍ମୋନାରୀ ମେଡିସିନ୍, ଇଏନ୍?ଟି, ଚକ୍ଷୁ(ଅପ୍ଥାମୋଲୋଜି), ଗ୍ୟାଷ୍ଟ୍ରୋେଂଟରୋଲୋଜି ଭଳି ବିଭାଗରେ ଦୈନିକ ରୋଗୀ ଦେଖିବା ସଂଖ୍ୟା ଶହେ(୧୦୦)ରେ ସିମୀତ ରଖାଯାଇଛି । ତେବେ ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ଭଳି ବିଭାଗ ପୂର୍ବଭଳି କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆଯାଇଛି । ଏହା ବୁଧବାର(୧୨ ଜାନୁୟାରୀ,୨୦୨୨)ରୁ କାର୍ଯ୍ୟକାରୀ ହେବ ।
ଡେ-କେୟାର, ରେଡିଓଥେରାପି, ଡାୟଲିସିସ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି, ଜରୁରୀକାଳୀନ ଜୀବନ ବଂଚାଇବା, ଟେଲି ମେଡିସିନ୍, \”ଏମ୍ସ ଭୁବନେଶ୍ୱର ଆପ୍, ଆଇପିଡି ସେବା, ଟୀକାକରଣ ସେବା, ପ୍ରତିରୋପଣ ସେବା, ଫୁସଫୁସ (ଟୀକାକରଣ ଆରଏମଆରସି), ଆନାସ୍େଥସିଓଲୋଜି (ପିଏସି) ଏବଂ ପେନ୍ କ୍ଲିନିକ୍) ଇତ୍ୟାଦି ପୂର୍ବପରି ଜାରି ରହିବ ।
ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ । ଏମ୍ରେ ଗତ କିଛି ଦିନ ହେବ କୋଭିଡ୍ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ତେଣୁ ହସ୍ପିଟାଲକୁ ରୋଗୀମାନଙ୍କ ପାଇଁ ନିରାପଦ ତଥା ସୁସ୍ଥ ରଖିବା ପାଇଁ ଏପରି କିଛି ପଦକ୍ଷେପ ନିଆଯାଇଥିବା ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡକ୍ଟର ଏସ ଏନ ମହାନ୍ତି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମେଡିକାଲ ଅଧୀକ୍ଷକ ଡ. ମହାନ୍ତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । କୋଭିଡ୍ ମହାମାରୀର ପ୍ରୋଟୋକଲଗୁଡିକୁ ଅନୁସରଣ କରିବାକୁ, ଏମ୍ସ ଭୁବନେଶ୍ୱରର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀମାନେ ଡବଲ୍ ଡୋଜ ଟୀକାକରଣ ପ୍ରମାଣପତ୍ର ବିଷୟରେ ପଚାରି ବୁଝିବା ସହିତ ଓପିଡିକୁ ଆସୁଥିବା ରୋଗୀଙ୍କ ସହିତ କେବଳ ଜଣେ ସହଯୋଗୀ ସହିତ ଡାକ୍ତରାଖାନା ପରିସରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଜରୁରୀକାଳୀନ ପରିସ୍ଥିତିରେ ଦୁଇଜଣ ସହଯୋଗୀ ଆସିପାରିବେ । ଏମ୍ସ ରେ କୋଭିଡ୍ ଅପରେସନ୍ କକ୍ଷ(ଓଟି) ସହିତ ପ୍ରସବ ଓଟି ଏବଂ ଅନ୍ୟାନ୍ୟ କୋଭିଡ୍ କ୍ଷେତ୍ରଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି ଅଚାନକ୍ କୋଭିଡ୍ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ୁଥିବା ରୋଗୀଙ୍କ ପାଇଁ ସାରୀ (ଏସଏଆରଆଇ) ୱାର୍ଡ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ । କୋଭିଡ୍ ଯତ୍ନ ସମୟରେ ଏହା ଜରୁରୀକାଳୀନ ଗୁରୁତର ରୋଗୀଙ୍କୁ ବେଶ୍ ସହାୟକ ହେବ । ଭବିଷ୍ୟତରେ ଆବଶ୍ୟକତା ଉପରେ ନିର୍ଭର କରି ଧାର୍ଯ୍ୟ ସମୟର ଉପଯୁକ୍ତ ନିଷ୍ପତି ନିଆଯିବ ବୋଲି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି ।