କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଉନ୍ନତିକରଣର ଶିଳାନ୍ୟାସ
କଟକ : କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଓ ପରିକ୍ଷେତ୍ରର ବିକାଶ ନିମନ୍ତେ ଆଜି କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶିଳାନ୍ୟାସ କରିଛନ୍ତି । ଷ୍ଟେସନର ଦ୍ୱିତୀୟ ପ୍ରବେଶ ଓ ପରିକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ, ତିନି ଓ ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକ୍ଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ ଓ ଭିଆଇପି ଯାନ ଆଦି ସୁବିଧା ଥିବା ବେଳେ ଚଉଡା ଆପ୍ରୋଚ୍ ରୋଡ ଅନ୍ତର୍ଭୁକ୍ତ ।
କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନିତ ଅତିଥି ଭାବେ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିବା ବେଳେ ବିଧାୟକ ସୈାଭିକ ବିଶ୍ୱାଳ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ରେଳ ମନ୍ତ୍ରଣାଳୟ କଟକ ଷ୍ଟେସନର ବିକାଶ ପାଇଁ ପ୍ରତିବଦ୍ଧ । ଏହାର ଉନ୍ନତିକରଣ ପାଇଁ ପାଣ୍ଠି ପ୍ରତିବନ୍ଧକ ହେବ ନାହିଁ । ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶ୍ରୀ ବୈଷ୍ଣବ ଷ୍ଟେସନରେ ଅନ୍ୟାନ୍ୟ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ । ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥର ମହା ପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଖୋର୍ଦ୍ଧା ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଧନ୍ୟବାଦ ଦେଇଥିଲେ ।