କାନପୁର ଟେଷ୍ଟ : ଭାରତର ପଲ୍ଲା ଭାରି, ନ୍ୟୁଜିଲାଣ୍ଡ ସ୍କୋର ୪/୧
କାନପୁର : ରୋମାଂଚକ ମୋଡରେ କାନପୁର ଟେଷ୍ଟ । ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତର ପଲ୍ଲା ଭାରି ରହିଛି । ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ରେ ୨୩୪ ରନ କରି ପାଳି ସମାପ୍ତି ଘୋଷଣା କରିଛି । ଏଥିସହ ପ୍ରଥମ ଇନିଂସର ୪୯ ରନର ଅଗ୍ରଣୀ ଭିତିରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ୨୮୪ ରନର ବିଜୟ ଲକ୍ଷ୍ୟ ରଖିଛି । ଜବାବରେ କିୱି ଦଳ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୧ ୱିକେଟ୍ ହରାଇ ୪ ରନ କରିଛି । ଟମ୍ ଲାଥମ(୨) ଓ ୱିଲିୟମ ସମରଭିଲେ(୦) ଅପରାଜିତ ଅଛନ୍ତି । ୨୮୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦିନର ଶେଷ ଆଡକୁ ଓପନର ୱିଲ ୟୋଙ୍ଗ(୨) ଅଶ୍ୱିନଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇଥିଲେ ।
ସୋମବାର ଶେଷ ଦିନରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୦ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୯ ୱିକେଟ୍ । ତେଣୁ ପଂଚମ ଦିନର ପ୍ରଥମ ସେସନରେ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ପୁଣି ଥରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରି ୬୫ ରନ କରିଛନ୍ତି । ଋଦ୍ଧିମାନ ଶାହା ୬୧ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ୍ ୨୮ ରନରେ ଅପରାଜିତ ଥିଲେ । ରବିଚନ୍ଦ୍ରନ ଅଶ୍ୱିନ ୩୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ଟିମ୍ ସାଉଦି ଓ କାଇଲ ଜେମିସନ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତ ତୃତୀୟ ଦିନର ଅସମାପ୍ତ ଖେଳ ୧୪/୧ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା । ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ଚେତେଶ୍ୱର ପୂଜାରା(୨୨) ଆଉଟ୍ ହୋଇଥିଲେ । ପୁଣି ଥରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ନିରାଶ କରି ମାତ୍ର ୪ ରନ କରି ବିଦାୟ ନେଇଥିଲେ । ଓପନର ମୟଙ୍କ ଅଗ୍ରୱାଲ ଅଧିକ ସମୟ କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ ହେଁ ୧୭ ରନ କରି ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡେଜା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଶ୍ରେୟସ ଆୟର କ୍ରିଜରେ ଜମି ରହିଥିବା ବେଳେ ଭାରତ ୫୧ ରନରେ ୫ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ରହିଥିଲା । ତେବେ ଅଶ୍ୱିନ କ୍ରିଜକୁ ଆସି ଶ୍ରେୟସଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ । ଦୁଇ ବ୍ୟାଟସମ୍ୟାସ ଷଷ୍ଠ ୱିକେଟ୍?ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ଅଶ୍ୱିନ ୫ ଚୌକା ସହ ୩୨ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଶ୍ରେୟସ ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରି ୮ ଚୌକା ଓ ୧ ଛକା ସହ ୬୫ ରନ କରିଥିଲେ । ଶ୍ରେୟସ ଓ ଋଦ୍ଧିମାନ ଶାହ ସପ୍ତମ ୱିକେଟ୍ରେ ୬୪ ରନ ଯୋଡିଥିଲେ । ଏହା ପରେ ଋଦ୍ଧିମାନ ଶାହା ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଂଚମ ଅର୍ଦ୍ଧଶତକ ହାସଲ କରିଛନ୍ତି ।