ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ୩ଶହ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ
ଫୁଲବାଣୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଗସ୍ତ କରିବେ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହି ଅବସରରେ ଜିଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ୩ଶହ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ । ସୋମବାର ଫୁଲବାଣୀ ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ଯୋଗ ଦେବେ । ଦିନ ୧୧ଟା ବେଳେ ସେ ଷ୍ଟାଡିୟମରେ ପହଞ୍ଚିବେ । ୧୧ଟା ୩୦ ମିନିଟରୁ ୧୨ଟା ୨୫ ମିନିଟ ଭିତରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟିବା ସହ ଅନ୍ୟ କାର୍ଯ୍ୟ ଶେଷ କରି ଫେରିଯିବେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲାର ୧ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ।
ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଆଗୁଆ ତଦାରଖ କରିଛନ୍ତି । କନ୍ଧମାଳ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ୮ଜଣ ମନ୍ତ୍ରୀ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲାର ଡିଏସପି, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଏଏସଆଇ, ଏସଓଜି ଟିମ, ଡ଼ିଭିଏଫ, ସିଆରପିଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । କିଛି ସାଧା ପୋଷାକଧାରୀ ପୋଲିସ ଓ ଗୁଇନ୍ଦା ବିଭାଗ ଅଧିକାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି ।