ଲାଲୁଙ୍କୁ ମିଳିଲା ଜାମିନ
ପାଟନା : ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ମାମଲାରେ କାରାଦଣ୍ଡ ପାଇଥିବା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ‘ଦୁମ୍କା ଟ୍ରେଜେରି’ ଭାବେ ସୁପରିଚିତ ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ କରାଦଣ୍ଡାଦେଶ ହୋଇଥିଲା। ପୂର୍ବେ ବିହାରରେ ଥିବା ସହର ଝାଡ଼ଖଣ୍ଡ ଟ୍ରେଜେରିରୁ ୩.୧୩ କୋଟି ଟଙ୍କା ଉଠାଉଥିବା ଅଭିଯୋଗରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ସମ୍ପ୍ରତି ଦିଲ୍ଲୀ ‘ଏମ୍ସ୍’ରେ ଚିକିତ୍ସାଧୀନ ଥିବା ଲାଲୁ ପ୍ରସାଦ ପୂର୍ବରୁ ବିହାର ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ୪ଟି ମାମଲାରୁ ୩ଟିରେ ଜାମିନ ପାଇଥିଲେ। ‘ଦୁମ୍କା’ ମାମଲାରେ ଜାମିନ ପାଇଥିବା ଲାଲୁ ପ୍ରସାଦ ଏଥର ଡାକ୍ତରଖାନାରୁ ରିଲିଜ୍ ହେବା ପରେ ଘରକୁ ଫେରିଯାଇ ପାରିବେ। ଡିସେମ୍ବର ୨୦୧୭ରୁ ଜେଲ୍ଦଣ୍ଡାଦେଶ ପାଇଥିବା ୭୨ ବର୍ଷିୟ ଲାଲୁ ଅଧିକାଂଶ ସମୟ ଝାଡ଼ଖଣ୍ଡର ‘ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ହସ୍ପିଟାଲ୍’ରେ କଟାଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଅଧିକ ଅବନତି ଘଟିବାରୁ ଜାନୁଆରି ମାସରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା।