କୋଭିଡ ପଜିଟିଭ୍ ପରେ ହାଇଦରର ରିମାଣ୍ଡ ସ୍ଥଗିତ
କଟକ: କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନାରେ ଧରା ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ ତାହାର ଆରଟିପିସିଆର ଟେଷ୍ଟ ହୋଇଥିଲା। ସେଥିରେ ସେ କରୋନା ପଜିଟିଭ ଆସିଛି। ଏହାଫଳରେ ହାଇଦରକୁ ରିମାଣ୍ଡ ନେବା ନିଷ୍ପତ୍ତିକୁ ସ୍ଥଗତି ରଖାଯାଇଛି। ଆଜିଠାରୁ ହାଇଦର ୭ ଦିନିଆ ରିମାଣ୍ଡରେ ଯିବାର ଥିଲା। ହାଇଦର କରୋନା ପଜିଟିଭ ଜଣାପଡିବା ପରେ ତାକୁ ଚଉଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଇତିମଧ୍ୟରେ ହାଇଦରକୁ ଆଣିବା ପାଇଁ ତେଲେଙ୍ଗାନା ଯାଇଥିବା ଓଡ଼ିଶା ପୋଲିସ ଟିମ୍ର କିଛି ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ହାଇଦର ପଜିଟିଭ ଜଣାପଡିବା ପରେ ପୋଲିସ ବିଭାଗରେ ଏକ୍ରପ୍ରକାର ଆଶଙ୍କା ଦେଖାଦେଇଛି । ତାକୁ ଧରିବାରେ ସାହାଯ୍ୟ କରିଥିବା ପୋଲିସ ଟିମକୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି । ତେବେ ହାଇଦର୍ ଆସିଥିବା ସ୍ୱତନ୍ତ୍ର ବିମାନ ସଂସ୍ଥାକୁ ମଧ୍ୟ ଏ ବିଷୟରେ ଅବଗତ କରିଦିଆଯାଇଛି । ସୂଚନା ଯେ, କିଛି ଦିନ ତଳେ କଟକ ଏସ୍ସିବିରୁ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର । କମିଶନରେଟ୍ ପୋଲିସର ଅକ୍ଲାନ୍ତ ପରିଶ୍ରମ ଏବଂ ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୋଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା ।