ଦୁଇଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି
ଭୁୁବନେଶ୍ୱର : ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଙ୍କୁ ନିଯୁକ୍ତି ମିଳିଛି । ସେହିପରି ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସଞ୍ଜୟ ଶତପଥୀଙ୍କୁ ନିଯୁକ୍ତି ଦିଆଯାଇଛି । ଉଭୟ ଆସନ୍ତା ୪ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ । ସୋମବାର ଦିନ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଭୟଙ୍କୁ ନିଯୁକ୍ତି ଦେଇଥିବା ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ବଟାନି ବିଭାଗରେ ପ୍ରାଧ୍ୟାପକ ଭାବେ ଅବସର ନେଇଥିବା ପ୍ରଫେସର ମହାପାତ୍ରଙ୍କ ନିକଟରେ ୩୩ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି । ସେ ଗୋଟିଏ ବହି ରଚନା କରିଥିବା ବେଳେ ତାଙ୍କ ଅଧୀନରେ ୧୪ ଛାତ୍ରଛାତ୍ରୀ ପିଏଚଡି ଓ ୨୪ ଛାତ୍ରଛାତ୍ରୀ ଏମଫିଲ୍ କରିଛନ୍ତି ।
ସେହିପରି ପ୍ରଫେସର ଶତପଥୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଫେସର ଭାବେ ଅବସର ନେଇଛନ୍ତି । ୩୬ ଉର୍ଦ୍ଧ ବର୍ଷର ଶିକ୍ଷକତା ଅଭିଜ୍ଞତା ଥିବା ପ୍ରଫେସର ଶତପଥୀ ୨୪ ଟି ବହି ଲେଖିଛନ୍ତି ଏବଂ ତାଙ୍କ ଅଧୀନରେ ୨୦ ଛାତ୍ରଛାତ୍ରୀ ପିଏଚଡି କରିଛନ୍ତି ।