ହାଇଦର ଫେରାର ପଛରେ ପରିବାର!
- ମଙ୍ଗଳବାଗ ଥାନାରେ ନିଲମ୍ବିତ କନଷ୍ଟେବଳଙ୍କ ଏତଲା
- ଆତ୍ମସମର୍ପଣ କଲା ସହଯୋଗୀ ୟାକୁବ୍
କଟକ : ଏସସିବି ମେଡ଼ିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର୍ ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପରିବାର ଲୋକେ ହିଁ ହାଇଦରକୁ ଫେରାର୍ କରାଇଥିବା ଅଭିଯୋଗ ହୋଇଛି । ମଙ୍ଗଳବାଗ ଥାନାରେ ଏନେଇ ହୋଇଥିବା ଏତଲାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସେ ସମୟରେ ଡ୍ୟୁଟିରେ ଥିବା କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏତଲା ହୋଇଛି । ପରିବାର ଲୋକେ ହିଁ ହାଇଦରକୁ ଫେରାର୍ ହେବାରେ ସହାୟତା କରିଥିବା ସେ ଏତଲାରେ ଦର୍ଶାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ହାଇଦର ନିକଟକୁ ନିୟମିତ ଭାବେ ତାର ସମ୍ପର୍କୀୟ ମାନେ ଦେଖା କରିବାକୁ ଆସୁଥିଲେ । ତା ପାଖକୁ ତାର ପୁଅ, ଭାଇ କାଳିଆ ଏବଂ ପୁତୁରା କାଲା ନିୟମିତ ଆସୁଥିଲେ । ଏହା ବ୍ୟତୀତ ତା ଶଳା ଗୋରା ଓ ସାନ ଜ୍ୱାଇଁ ମଧ୍ୟ ନିୟମିତ କ୍ୟାବିନକୁ ଆସୁଥିଲେ । ଏବଂ ହାଇଦର୍ ସହିତ କଥା ହେଉଥିଲେ । ୧୦ ତାରିଖ ଅପରାହ୍ନ ସାଢ଼େ ୪ଟାରେ ସେ ଡ୍ୟୁଟିରେ ଥିଲେ ଏବଂ ତାକୁ ଜଗି ରହିଥିଲେ । ଏହି ସମୟରେ ସେମାନେ ଆସି ପ୍ରଥମେ ମୋ ଉପରକୁ କିଛି ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ । ଏହାର ପ୍ରଭାବରେ ମୁଁ ଅଚେତ୍ ହୋଇପଡିଥିବା ବେଳେ ହାଇଦର୍ ସେଠାରୁ ଫେରାର୍ ହୋଇଯାଇଥିଲା ବୋଲି ଏତଲାରେ ଦର୍ଶାଇଛନ୍ତି ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମ ।
ଅନ୍ୟପକ୍ଷରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ ଡାକ୍ତରଖାନାରୁ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯିବା ପରେ ଏବେ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ‘ଅପରେସନ ହାଇଦର’ ଜୋରଦାର ଚାଲିଛି । ଖୋଦ୍ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ କମିଶନରେଟ ପୋଲିସର କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ୪ରୁ ଅଧିକ ଟିମ୍ ଗଠନ କରାଯାଇଥିବା ବେଳେ ରାଜ୍ୟ ବର୍ଡର ସହିତ ରେଲୱେ ପଥ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ତେବେ ୟାକୁବ ଖାଁ ନାମକ ଜଣେ ହାଇଦରର ସହଯୋଗୀ ନିୟମିତ ଭାବେ ହାଇଦରକୁ ଏସସିବିରେ ଖାଇବା ପାଇଁ ବିରିୟାନୀ ଯୋଗାଉଥିବା ପୋଲିସ ଜାଣିପାରିଥିଲା । ପୋଲିସ ତାକୁ ଗିରଫ କରିବା ପୂର୍ବରୁ ସୋମବାର ୟାକୁବ୍ ଚାଉଳିଆଗଂଜ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଜଣାଯାଇଛି । ସେ ନିୟମିତ ଏସସିବିକୁ ହାଇଦର ପାଇଁ ବିରିୟାନୀ ଯୋଗାଉଥିଲା । ପୋଲିସ ତାକୁ ପଚରା ଉଚରା ସମୟରେ ସେ ଦେଇଥିବା ବିରିୟାନୀରେ ନିଶା ଦ୍ରବ୍ୟ ମିଶାଇନଥିବା କହୁଥିବା ବେଳେ ବିରିୟାନୀ ଖାଇ ସୁରକ୍ଷା କର୍ମୀ ମହମ୍ମଦ ମୈାସୁମ କିପରି ଅଚେତ ହୋଇପଡିଲେ ସେନେଇ ପୋଲିସ ଖୋଳତାଡ ଜାରି ରଖିଛି । ତେବେ ୟାକୁବ ହାଇଦରର ଜଣେ ଘନିଷ୍ଠ ସହଯୋଗୀ ହୋଇଥିବା ବେଳେ ତା ବିରୋଧରେ ବିଭିନ୍ନ ଥାନାରେ ଦାଦାବଟି ଓ ଡକାୟତି ଭଳି ସଂଗୀନ ଅପରାଧିକ ମାମଲା ରହିଥିବା ଜଣାଯାଇଛି ।
ପ୍ରକାଶ ଥାଉ କି, ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୬ ଜଣ ପୋଲିସ କର୍ମଚାରୀଙ୍କୁ ଗତକାଲି ନିଲମ୍ବନ କରାଯାଇଛି । ଏନେଇ ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ୍ ସାହୁ, କନଷ୍ଟେବଳ ଦୀପକ ସାହୁ, କନଷ୍ଟେବଳ ମହମ୍ମଦ ମୌସିମ, କନଷ୍ଟେବଳ ଉମାକାନ୍ତ ବେହେରା ଓ କନଷ୍ଟେବଳ ସୁଧାଶୁଂ ମାଝି ।