ଆଇପିଏଲ-୨୦୨୧ ଆରମ୍ଭ
ଟସ୍ ଜିତିଲା ବାଙ୍ଗାଲୋର, ବ୍ୟାଟିଂ କରିବ ମୁମ୍ବାଇ
ଚେନ୍ନାଇ : ଆଜିଠୁ ଆରମ୍ଭ ହେଲା ଫଟାଫଟ୍ କ୍ରିକେଟ୍ ଆଇପିଏଲ-୨୦୨୧। ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ୨୦୨୧ର ବିଗୁଲ ବାଜିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ପାଞ୍ଚ ମାସର ବ୍ୟବଧାନ ପରେ ଆରମ୍ଭ ହୋଇଥିବା ଆଇପିଏଲର ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ପ୍ରଥମ ମୁକାବିଲାରେ ତିନି ଜଣ ପଦାର୍ପଣ କରିଛନ୍ତି। ଦେବଦତ୍ତ ପାଡିକଲ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି। ଆଇପିଏଲରେ ଗ୍ଲେନ୍ ମ୍ୟାକ୍ସଓ୍ଵେଲ, କାଏଲ ଜେମିସନ ଓ ଡାନିଏଲ କ୍ରିଷ୍ଟିୟାନ ବେଙ୍ଗାଲୁରୁ ପକ୍ଷରୁ ପଦାର୍ପଣ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିସ୍ ଲିନ ଆଇପିଏଲରେ ପଦାର୍ପଣ କରିଛନ୍ତି। ଲିନ୍ କ୍ଵିଣ୍ଟନ ଡିକକ୍ଙ୍କ ସ୍ଥାନରେ ଓପନିଂ କରିବେ। ସେହି ପରି ଛଅ ଫୁଟ୍ ଆଠ ଇଞ୍ଚର ଦକ୍ଷିଣ ଆଫ୍ରିକା ବୋଲର ମାର୍କୋ ଜେନସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଆଇପିଏଲ୍ ରେକର୍ଡ ଉପରେ ନଜର ପକାଇଲେ ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଇତିହାସରେ ବିରାଟ କୋହଲିଙ୍କ ଟିମ ଆରସିବି ଉପରେ ସବୁବେଳେ ଭାରି ପଡିଛି। ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଛି। ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।
ସୂଚନା ଯେ, ଗତ ବର୍ଷ କରୋନା ମହାମାରୀ ପାଇଁ ଦୁବାଇଠାରେ ଆଇପିଏଲ ଖେଳାଯାଇଥିଲା । କିନ୍ତୁ ଏଥର ବି କରୋନାର ୨ୟ ଲହରୀ ଚାଲିଥିବା ସତ୍ତ୍ବେ ଭାରତରେ ଆଇପିଏଲ ଖେଳାଯାଉଛି । ତେବେ ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ଟପିଯାଇଥିବା ବେଳେ ଭାରତରେ ଏହି ଅତ୍ୟନ୍ତ ଲୋକପ୍ରିୟ, ଦାମୀ ଓ ଚର୍ଚ୍ଚିତ ଲିଗ୍ ଆୟୋଜନ ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଅନେକ ପ୍ରଶ୍ନ ବି ଉଠିଛି। ହେଲେ ଏଭଳି ଏକ ଅସ୍ବାଭାବିକ ପରିସ୍ଥିତିରେ ଆଇପିଏଲ୍ ଖୁସିର ବାହକ ହୋଇଆସିବ ବୋଲି କ୍ରିକେଟ୍ପ୍ରେମୀ ଆଶା ରଖିଛନ୍ତି।
ମୁମ୍ଵାଇ ଇଣ୍ଡିଆନ୍ସ :
ରୋହିତ ଶର୍ମା(ଅଧିନାୟକ), କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ମାର୍କୋ ଜାନସେନ, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରା।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ :
ବିରାଟ କୋହଲି(ଅଧିନାୟକ), ରଜତ ପାଟିଦାର, ଏବି ଡିଭିଲିୟର୍ସ(ଓ୍ଵିକେଟ୍ କିପର), ଗ୍ଲେନ ମ୍ୟାକ୍ସଓ୍ଵେଲ, ଡାନିଏଲ କ୍ରିଷ୍ଟିୟାନ, ଓ୍ଵାଶିଂଟନ ସୁନ୍ଦର, କାଏଲ ଜେମିସନ, ହର୍ଷଲ ପଟେଲ୍, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ, ୟୁଜବେନ୍ଦ୍ର ଚହଲ।