ଆଫଗାନିସ୍ତାନ ପରିସ୍ଥିତିରୁ ଉପୁଜିଥିବା ସୁରକ୍ଷା ପ୍ରସଙ୍ଗ : ଭାରତ-ରୁଷର ଉଚ୍ଚସ୍ତରିୟ ବିଚାରବିମର୍ଶ
ନୂଆଦିଲ୍ଲୀ : ଆଫଗାନିସ୍ତାନ ପରିସ୍ଥିତିରୁ ଉପୁଜିଥିବା ସୁରକ୍ଷା ପ୍ରସଙ୍ଗ ଏବଂ ଏନେଇ ରଣନୀତି ପ୍ରସ୍ତୁତି ନିମନ୍ତେ ବୁଧବାର ଦିନ ଭାରତ-ରୁଷ ମଧ୍ୟରେ ଉଚ୍ଚସ୍ତରିୟ ବିଚାରବିମର୍ଶ ହୋଇଛି । ଭାରତ ଗସ୍ତରେ ଆସିଥିବା ରୁଷ୍ ର ସୁରକ୍ଷା ପରିଷଦର ପ୍ରମୁଖ ଜନରାଲ ନିକୋଲାଇ ପେନୁଶେବ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ସେଠାରେ ସୃଷ୍ଟି ହେବାକୁ ଥିବା ଆତଙ୍କବାଦ, ମାଦକ ଦ୍ରବ୍ୟର ତସ୍କରୀ ଏବଂ ମାନବ ତସ୍କରୀ ଆଦି ଚ୍ୟାଲେଞ୍ଜ୍ ଉପରେ ବିସ୍ତୃତ ବିଚାରବିମର୍ଶ କରିଥିଲେ ।
ବୈଠକ ପରେ ଜାରୀ ହୋଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଦୁଇ ଦେଶ ବର୍ତମାନ ଦେଖାଦେଇଥିବା ଚ୍ୟାଲେଞ୍ଜ୍ ଗୁଡିକ ସମ୍ବନ୍ଧରେ ସୈନ୍ୟ ଏବଂ ବିଶେଷ ଏଜେନ୍ସି ସ୍ତରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଲକ୍ଷ୍ୟ ଜାହିର୍ କରିଥିଲେ । ଉଭୟ ପକ୍ଷ ମଧ୍ୟ ଏହା ଉପରେ ଜୋର୍ ଦେଇଥିଲେ ଯେ, ଆଫଗାନିସ୍ତାନର ନୂତନ ଶାସନ ପ୍ରଣାଳୀ ଆଫଗାନ ଲୋକଙ୍କ ଦ୍ୱାରା ହିଁ ସ୍ଥିର କରାଯିବା ଆବଶ୍ୟକ । ଏଥି ସହିତ ଆଫଗାନିସ୍ତାନରେ ହିଂସା, ଜାତୀୟ ଏବଂ ସାମାଜିକ ସଂଘର୍ଷ ତଥା ଅନ୍ୟ ବିବାଦକୁ ରୋକାଯିବା ଆବଶ୍ୟକ । ଭାରତ ଓ ରୁଷ୍ ଏହା ମଧ୍ୟ ସ୍ଥିର କରିଥିଲେ ଯେ, ଉଭୟ ଦେଶ ଆଫଗାନିସ୍ତାନରେ ଶାନ୍ତି ଓ ସାମାନ୍ୟ ସ୍ଥିତି କାୟମ୍ ରଖିବା ନେଇ ବହୁପକ୍ଷିୟ ମଂଚ ଜରିଆରେ ନିଜ ନିଜ ମଧ୍ୟରେ ତାଳମେଳ ରଖି କାର୍ଯ୍ୟ କରିବେ । ଦୁଇ ଦେଶ ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଏବଂ ପଳାୟନ ଭଳି ସ୍ଥିତି ଉପରେ ଆଲୋଚନା କରିଥିଲେ । ଦୁଇ ପକ୍ଷ ଆଫଗାନିସ୍ତାନରେ ଆନ୍ତରିକ ସ୍ତରରେ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ କରିବା ପାଇଁ ମିଳିତ ଭାବେ ପ୍ରୟାସ କରିବାକୁ ନିଷ୍ପତି ନେଇଥିଲେ ।