ସନ୍ଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ବନ୍ଦ ହେବ ଟିକାକରଣ : ସ୍ୱାସ୍ଥ୍ୟମନ୍ତ୍ରୀ
ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବ
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ୭ଶହ ପରି ହେଲାଣି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମନ ନିଆ ଯାଉଛି । ମାତ୍ର କରୋନା ରୋକିବାର ନା ନେଉନି । ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଟିକା ନ ଆସିଲେ ରାଜ୍ୟରେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ଏଥିସହିତ ସେ ଆହୁରି କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ। ସେମାନେ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ବୋଲି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର। ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି। ୧୦ ଦିନ ପାଇଁ ଆମକୁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ହେଲେ ଏ ଯାଏ ଟିକା ଆସିନି। ଆଜି ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ବନ୍ଦ ହେବ ଟିକାକରଣ।
ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭିତରେ ଆଲୋଚନା ଅଛି । ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ଟିକା ଦେବା ପାଇଁ ଦାବି କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।