ବିନା ଭକ୍ତରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ସବୁକିଛି ପ୍ରଭାବିତ । ରାଜ୍ୟରେ ପୁଣି କରୋନା ମୁଣ୍ଡ ଟେକିଥିବା ବେଳେ ଏହାର ଦ୍ଵିତୀୟ ଲହରୀ ପୂର୍ବ ଅପେକ୍ଷା ଭୟଙ୍କର ବୋଲି ଜଣାପଡୁଛି । ରାଜ୍ୟରେ ଅଣାୟତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ବିନା ଭକ୍ତରେ ହେବାକୁ ଯାଉଛି ବୋଲି ବିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ସେହିପରି କେବଳ ପରମ୍ପରା ବଜାୟ ରଖିବା ପାଇଁ ଚଳିତବର୍ଷ ବିନା ଭକ୍ତରେ ରୁକୁଣା ରଥଯାତ୍ରା ହେବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରି ସୂଚନା ଦେଇଛନ୍ତି । ବିଡିଏ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ବୈଠକରେ ଜିଲ୍ଲା ପ୍ରଶାସନ ସହିତ ଲିଙ୍ଗରାଜ ମନ୍ଦିର ପ୍ରଶାସନ, ୪ ନିଯୋଗ ସଦ୍ୟସ ସହିତ ପୋଲିସ୍ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ।
ତେବେ ଆସନ୍ତା ଏପ୍ରିଲ ୨୦ ତାରିଖରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ହେବାକୁ ଥିବାବେଳେ ଏନେଇ ଚୂଡାନ୍ତ ନିଷ୍ପତି ରାଜ୍ୟ ସରକାର ନେବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରି ସୂଚନା ଦେଇଛନ୍ତି । ତେବେ ଗତ ବର୍ଷ ସମାନ ପରିସ୍ଥିତିରେ କରୋନା ମହାମାରୀ କାରଣରୁ ରଥ ନିର୍ମାଣ ହୋଇ ସାରିଥିଲେ ସୁଦ୍ଧା ରୁକୁଣା ରଥକୁ ବନ୍ଦ କରାଯାଇଥିଲା ଯାହାକୁ ନେଇ ଭକ୍ତ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେବା ସହିତ ଏହାକୁ ନେଇ ବହୁ ବାଦ ବିବାଦ ମଧ୍ୟ ଦେଖାଦେଇଥିଲା ।